କ୍ରୌଂଚମିଥୁନ

କ୍ରୌଂଚମିଥୁନ

ଗିରିଜାକୁମାର ବଳିୟାରସିଂହ

 

ଉତ୍ସର୍ଗ

ପ୍ରଥମ ପାଠିକା ପାଇଁ ତଥା ତମ ପାଇଁ ।

 

କଥା କିଂଚିତ୍‌

‘କ୍ରୌଂଚମିଥୁନ’ - ବସ୍ତୁତଃ, ୧୯୭୦-୭୫ ମଧ୍ୟରେ ରଚିତ କେତୋଟି କବିତା ଓ କେତୋଟି ସନେଟ୍‌ର ଏକ ସ୍ୱନିର୍ବାଚିତ ସଂଚୟନ ।

ଶେଷପର୍ଯାୟରେ ସଂଯୋଜିତ ‘ଅକାବ୍ୟିକ’- ମୁକ୍ତଆଂଗିକରେ ଅଭିବ୍ୟକ୍ତ ଏକ ଆତ୍ମାଳାପଧର୍ମୀ ଉଚ୍ଚାରଣୀ ।

 

ହଁ, ଏହି ପଦାବଳୀ ପ୍ରଥମେ ପ୍ରକାଶ ପାଇଥିଲା ୧୯୮୨ ମସିହାରେ ।

ନିଜ ତରଫରୁ ଦୀର୍ଘଦିନର ନିରବଚ୍ଛିନ୍ନ ନିଃସ୍ପୃହତା ଓ ନିଷ୍କ୍ରିୟତା ସତ୍ତ୍ୱେ, ଏହାର ଏକାଧିକ ସଂସ୍କରଣ ଅର୍ଜନ କରିପାରିଥିଲା ଆଶାତିରିକ୍ତ ଆଦୃତି ।ତା'ପରେ ଅନେକ ବର୍ଷ ତଳୁ ବହି-ବଜାରରୁ ନିଖୋଜ୍‌ ହୋଇଯାଇଥିଲା ‘କ୍ରୌଂଚମିଥୁନ’ ।ଓଡ଼ିଶାର ରସଗ୍ରାହୀ ପାଠକ-ପାଠିକାଂକ ନିକଟରେ ସେଥିସକାଶେ ସତରେ ମୁଁ ସକୃତଜ୍ଞ ।

 

ମୋର ତରଂଗିତ ତାରୁଣ୍ୟର ତୃଷିତ ତୀର୍ଥଗୀତି - ‘କ୍ରୌଂଚମିଥୁନ’ ।

ଆଜି ବି ଏ ପୁରୁଣା ଫର୍ଦର ପଦାବଳୀ ଯେତେବେଳେ ଗୁଂଜରିତ ହୋଇଉଠେ ଅଚିହ୍ନା ଅଜଣା କେତେ ନୂଆନୂଆ କଂଠସ୍ୱରରେ, ହଠାତ୍‌ ହତବାକ୍‌ ହୋଇଉଠେ ମୁଁ ।ଲାଗେ, ଅଧୁରା ଅତୀତର ଉଇହୁଂକାରୁ ସତରେ ମୁଁ ଯେମିତି ଶୁଣୁଚି କେଉଁ ଓଦାଓଦା ଓଁକାର ! ନିଜଠାରୁ ନିହାତି ନିଷ୍ଠୁର ନିର୍ଦୟ ଭାବରେ ଦୂରେଇଆସେ ମୁଁ ସେତେବେଳେ ।

 

ନା ।

ଦୁଃଖୀ ଦୂବଗଛ, କାଂଦୁରୀ କାଶତଂଡୀ, ଘରୋଇ ଘାସଫୁଲ - କେହି ବି ଆଉ ଫେରାଇ ଦେଇପାରିବେନି ସେସବୁ ସ୍ୱପ୍ନ-ଶିଶିରାକ୍ତ ସୁପ୍ରଭାତୀ... ଜୁଡ଼ୁବୁଡ଼ୁ ଜହ୍ନରାତି !

 

ଅଜସ୍ର ଅସାରତା ମଧ୍ୟରେ ସାରଗର୍ଭକ ସାଂତ୍ୱନା କେବଳ ଏତିକି ଯେ, ଏ କୃଶକାୟ କାବ୍ୟ-କୃତିର ସମସ୍ତ ସୀମିତ ସଂକ୍ଷିପ୍ତତା ସତ୍ତ୍ୱେ, ସଂକଳିତ ସ୍ୱରଲିପିଗୁଡ଼ିକରେ, ସଂଭବତଃ ସଂରକ୍ଷିତ ରହିଛି ସେଇସବୁ ସ୍ୱପ୍ନାଭ ଦିନର ସ୍ୱତ୍ୱ !

 

ସ୍ମରଣ କରୁଚି - ସଖା, ସତୀର୍ଥ ଓ ସୁହୃଦ୍‌ମାନଂକୁ ଏବଂ ପ୍ରକୃତରେ ପ୍ରାର୍ଥନା କରୁଚି ସ୍ୱଚ୍ଛଂଦ କବିତାର ଅଗଣିତ ଉପଭୋକ୍ତା ତଥା ସ୍ପର୍ଶକାତର ପାଠକସମାଜର ଅନାହତ ଅମରତ୍ୱ ।

 

ଗିରିଜାକୁମାର ବଳିୟାରସିଂହ

 

 

ପ୍ରଥମ ବହି

 

ପ୍ରଥମ ବହି ?

ପ୍ରଶ୍ନଟି ସାଧାରଣ ଅର୍ଥରେ ସରଳ ମନେହେଉଥିଲେ ମଧ୍ୟ ମୋ ପକ୍ଷରେ ଏହାର ଉତ୍ତର କିଂତୁ ସତରେ ଜଟିଳ ।ଜଣେ ବି କେହି ଏ ଉତ୍ତର ଗ୍ରହଣ କରଂତୁ କି ନ କରଂତୁ, ତଥାପି ମୁଁ କହିବି ଯେ, ମୋର ପ୍ରଥମ ବହି - ଦୁଇଟି !

ଦୁଇଟି ପ୍ରଥମ ବହି ?

 

କଥାଟା ଶୁଣିଲେ ପ୍ରିୟ ପାଠକପାଠିକାମାନେ ମୋର ମାନସିକ ଭାରସାମ୍ୟ ସଂପର୍କରେ ସଂଶୟ ପ୍ରକଟ କରିପାରଂତି ହୁଏତ - ମାତ୍ର ସେଇ ପ୍ରାକ୍ତନ ପ୍ରାର୍ଥନାର ପରିସରଭୁକ୍ତ “ସତ କହିବାକୁ କିଆଁ ଡରିବି” ପଦାଂଶଟିକୁ ଅକ୍ଷରେ ଅକ୍ଷରେ ସତ୍ୟ ସାବ୍ୟସ୍ତ କରୁଛି ମୁଁ ଏ ସ୍ୱୀକାରୋକ୍ତି ଶୁଣାଇ ।

 

ହଁ, ମୋର ପ୍ରଥମ ବହି ପ୍ରକୃତରେ ଗୋଟିଏ ନୁହେଁ, ଦୁଇଟି ।

୧୯୭୬।ଏମ୍‌.ଏ. ପଢ଼ୁଥିବାବେଳେ ପ୍ରକାଶ ପାଏ “କାଲିର କବିତା” ।ସ୍କୁଲବେଳୁ ପି.ୟୁ. ପର୍ଯଂତ ଲେଖାଯାଇଥିବା କିଛିକିଛି କବୋଷ୍ଣ କବିତାର କୃଶକାୟ କୃତି ।ଚେହେରାରେ ସେସବୁ କବିତା ଛାଂଦସିକ, ଚରିତ୍ରରେ ନାଂଦନିକ ।କେଉଁ କୁଶକୁସୁମିତ କୈଶୋରରୁ ପ୍ରଗାଢ଼ ପ୍ରାକ୍‌ତାରୁଣ୍ୟର ପ୍ରଖର ପ୍ରବାହ (୧୯୬୮-୭୨) କବିତାଗୁଡ଼ିକୁ କରିଥିଲା ଛତ୍ରେଛତ୍ରେ ଛଂଦୋଚ୍ଛ୍ୱାସମୟ, ପତ୍ରେପତ୍ରେ ପଦପଲ୍ଲବିତ ।ମାତ୍ରାବୃତ୍ତଧର୍ମୀ ମୂର୍ଛନାମୟତା ବର୍ଷାଢ୍ୟ ବର୍ଣମାଳାର ସୁବର୍ଣମାଳାରେ ଗୁଂଥିବାକୁ ଚାହିଥିଲା ଗୀତି ସହ ପ୍ରୀତି, ଗାଥା ସହ ଗତଗୋଧୂଳିର ଗୈରିକତା ।ଦୂରସୁଦୂରର ଗୁମ୍‌ସୁମ୍‌ ଗୁମାନୀ ଗୁଂଜନ ସହ ମଂଥିହୋଇଯାଇଥିଲା ମର୍ମରିତ ମର୍ମପୀଡ଼ା ।ଏଇ ପୁଲକ-ପଖଳା ପୀଡ଼ା, ମର୍ମମଂଥନର ଏଇ ମଧୁର ମର୍ମର ସେଇ କୋମଳ କୈଶୋରକୁ କରିଥିଲା କୋହୋଚ୍ଛଳ, ତୁମୁଳ ତାରୁଣ୍ୟକୁ ତୃଷ୍ଣାତୁର ! ତୀବ୍ର ତାଡ଼ନାର ତିଳତିଳ ତୃପ୍ତିହୀନତାରେ “କାଲିର କବିତା” ଥିଲା ଗୋଟାଏ ହାର୍ଦିକ ହ୍ଲାଦର ହାହାକାର ... ନିର୍ଜନ ନାଦର ନାନାବାୟା ... ଆସନ୍ନ ଆଶାର ଅସମାପ୍ତି ! ମନେପଡ଼େ, ନିଜ ଗାଆଁର ନିରୋଳା ନାଆଁରେ ନିବେଦିତ ନିବିଡ଼ ନିର୍ମାୟାପଣ– “ବାଜପୁର, ବାଜପୁର - ଶେଷନୀଡ଼ ତମେ ସ୍ୱପ୍ନପାଗଳ ଛୋଟ ଏଇ ଚାତକର !” ମାମୁଘର ଗାଆଁ ନାରଗୋଦାର ନରମ ମାଆପଣକୁ ନେଇ ଦୋରୁଅ-ଦୋରସ୍ତ ଦି'ଧାଡ଼ିକ ମଧ୍ୟ ମନେଅଛି ଆଜି – “ମାମୁଘର ଗାଆଁ କୁହୁଡ଼ି ଭିତରେ ସକାଳର ଗୀତ ଗାଏ, ମାମୁଘର ଗାଆଁ ଯଶୋଦାବୁକୁର ମମତା ବରଷିଯାଏ !”

 

ଗାଆଁ - ଦି' ଗାଆଁର ଗେଂଡାଳିଆ ଗୋହିରିରୁ ସେଦିନର ସେଇ କାପ୍ତାଉଡ଼ା କାତର କଟକର କୋତରାମୋତରା କଚାରାସ୍ତା...ଖୁମାଣୀ ଖୁଲଣା ଖରା, କୁଆପଥରକଚଡ଼ା କୁଆଁରୀ ବର୍ଷା, କାଂଦୁରୀ କଇଁପୋଖରୀ ପହଁରା, ତୁନୀ ତଅପୋଈ ତରା, ମାଈକାକରର ମାଈଁମୁଲକରୁ ଦି'ନଈର ଧାଈଧୁଆ ଧବଳଟଗରର ଏ ସହର ମତେ ବତାଇଥିଲା କୁହୁଡ଼ିଆ କବିତାକୁ ବାରବୁଲାଣିଆ ବାଟ ।ଦେବକୀ, ଯଶୋଦା ପରି ମାଆମାର୍କା ଦି'ଗାଆଁମାଟିର ଖଇଉଖୁଡ଼ା ବାସ୍ନାରେ ବାଉଳା ହେଉଥିଲା ସେ ସାନ ସହରର ଏ ବାଳୁତ ବାଇମୁଂଡି ।ପଥରବଂଧରେ ମୁଂଡ କଚାଡ଼ୁଥିବା କାଠଯୋଡ଼ୀର କାରୁଣ୍ୟ, ଆନିକଟରେ ଅଟକବଂଦିନୀ ମହାନଦୀର ମୋହଭଂଗ ମତେ ଦୁଃଖ ଦେଇଥିଲା ସେଇ ସାନଦିନୁ - ଏବଂ କରିସାରିଥିଲା ପୁଣି, କମ୍‌ କବି ଆଉ ଅଧିକ ପ୍ରେମିକ ମଧ୍ୟ।ମୁଁ ବୁଝିପାରୁଥିଲି ଚଢ଼େଇର ଚିତ୍ରକଳ୍ପ, ଦୂବଘାସର ଦୁର୍ବୋଧ୍ୟତା, ଚଲାମେଘର ଚାରଣକ୍ଷେତ୍ରରେ ଚାରୁଚଂଦ୍ରମାର ଚତୁର୍ଦଶୀ ! "କାଲିର କବିତା' କ୍ରମେ ମୁହାଉଁଥିଲା ଯୌଥଯୌବନର ଯାଯାବର ଯାତ୍ରାଂତରଆଡ଼େ - କରୁଣ କୈଶୋରର କଂଟେଇ କୁଦରୁ !

 

"କାଲିର କବିତା' ମତେ ଆଣିଦେଇଥିଲା ଆଂଜୁଳାଏ ଅତସୀକୁସୁମ - ଅତିରିକ୍ତ ଅତୀତର ଅତୀଂଦ୍ରିୟତାରୁ ! ମତେ ଅନାଗତ ଭବିଷ୍ୟତର ଭଲପାଇବାଟେ ଭୋଗିବାକୁ ଛାଡ଼ିଦେଇ ସେ ଅଂତରଂଗ ଅତୀତ ଯେମିତି ନିଖୋଜ୍‌ ହୋଇଯାଇଚି କୁଆଡ଼େ ବୋଲି କୁଆଡ଼େ - କେଉଁ ସୁନେଲି ପକ୍ଷୀର ଡେଣାରେ, ରୁପେଲି ମେଘର ମୋଡ଼ରେ, ହଂସୁଲୀ-ହ୍ରଦର ଢେଉରେ, ବଗୁଲୀ-ଆଖିର ଅପଂତରାରେ, ଶିଉଳିସଂଜର ସେପାରିରେ...

 

ଶୁଭ୍ର ପ୍ରଚ୍ଛଦପଟ ।ତା ଉପରେ ପାଟଳ ହଂସପାଦ ଭଂଗିମାରେ ଛ'ଅକ୍ଷରୀ ଛଟା - "କାଲିର କବିତା' ।ଗୁଡ଼ିଏ ରଂଗର ଗହଳ ଗର୍ବକୁ ବାତିଲ୍‌ କରି ଗୁଟୁ ମହାଂତିର ଅଂକାବଂକା ଗୋଟେ ଅଧୁରା ଅଂକନ ସିଏ - ଅଳ୍ପ ଆଭାସର ଅଭ୍ରାଂତ ଅଭ୍ୟାସ ।କ୍ଲାସ୍‌ରୁମ୍‌ରେ ସୁଚିତ୍ରା ମିଶ୍ର ନାମ୍ନୀ ଜଣେ ସହପାଠିନୀ ହାତରେ ହଠାତ୍‌ ଏଭଳି ଅଲଗା ମଲାଟର ବହିଟାକୁ ଠଉରାଇ ପ୍ରଫେସର୍‌ ଡଃ କୃଷ୍ଣଚରଣ ବେହେରା କହିପକାଇଥିଲେ – “ବାଃ, ଦେଖେ ଟିକିଏ ବହିଟାକୁ !” ଅନୁପସ୍ଥିତ ତରୁଣକବିର ସେ କରୁଣ କ୍ଲାସିକ୍‌କୁ ନେଇ ସେଦିନ ଏମ୍‌.ଏ. କ୍ଲାସ୍‌ର ସତୀର୍ଥ ଓ ଅଧ୍ୟାପକ-ଅଧ୍ୟାପିକାମାନେ ସେମିନାର୍‌ଟାଏ ସୃଷ୍ଟି କରିଦେଲେ, କ୍ଲାସ୍‌ ସରିଗଲା ପରେ ।ଏ ସେମିନାର୍‌ର ସମସ୍ତ କାର୍ଯକ୍ରମ ସୁଚାରୁରୂପେ ସଂପନ୍ନ ହୋଇଥିଲା ସିନିଅର ଛାତ୍ର ଗଗନ ଲେଂକାଂକ ସଭାପତିତ୍ୱ ଓ ସହପାଠୀ ରବି ମିଶ୍ରଂକ ସଂପାଦକତ୍ୱରେ ସଂଗଠିତ “ସାତ୍ତ୍ୱତୀ ସାହିତ୍ୟ ସଂସଦ” ଦ୍ୱାରା ।ପରେ ଶ୍ରୀ ଲେଂକା ହୋଇଛଂତି କଟକର କ୍ରାଏଷ୍ଟ୍‌ କଲେଜିଏଟ୍‌ ସ୍କୁଲର ହେଡ୍‌ମାଷ୍ଟର ଏବଂ ଶ୍ରୀ ମିଶ୍ର ଫୁଲବାଣୀର ପ୍ରଖ୍ୟାତ ଆଡ୍‌ଭୋକେଟ୍‌ ।ଛାତ୍ରଜୀବନ ଉତ୍ତାରୁ ଅଧ୍ୟାପକ ନ ହୋଇ ଅଡିଟର ଚାକିରିରେ ବାହାଲ୍‌ ହୋଇଥିବା ସୁହୃଦ୍‌ ସୁଧୀରଚଂଦ୍ର ବେହୁରା ଦମକାଏ ଦରଦୀ ଇସ୍ତାହାର ଦେଇ ସେଦିନ ବଂଧୁ ଗିରିଜାର ଦୁର୍ଦାଂତ ଭବିଷ୍ୟତର ଦସ୍ତାବିଜ୍‌ ଦାଖଲ୍‌ କରିଥିଲା କୁଆଡ଼େ ! ସହାଧ୍ୟାୟୀମାନଂକ ମଧ୍ୟରୁ କେତେକେ ବି ସ୍ୱେଚ୍ଛାକୃତ ଭାବରେ ବହନ କରିନେଇଥିଲେ ସେ ମାମୁଲି ବହିର ବିକ୍ରୟଭାର ।

 

କୁଆଡ଼େ ଗଲା ଶ୍ରଦ୍ଧା-ସୌହାର୍ଦ୍ୟରେ ସୁବାସିତ ସେଇସବୁ ସଂଧ୍ୟା ଓ ସକାଳ ?

 

ସାନ ଲେଖକଟିର ସେ ବହି ବାବଦରେ ମିଳିଥିଲା ବଡ଼ବଡ଼ ଲେଖକମାନଂକର ଉତ୍ସାହବ୍ୟଂଜକ ଚିଠିସବୁ ।କେତୋଟି ମାତ୍ର ମହଜୁଦ ଅଛି ସୁଧୀର ପାଖରେ ।କୃଷ୍ଣଚଂଦ୍ର ତ୍ରିପାଠୀ, ଚକ୍ରଧର ମହାପାତ୍ର, କୁଂଜବିହାରୀ ଦାଶ ଓ ତପନ ପଟ୍ଟନାୟକଂକ ଚିଠିର ଭାଷା କି ଭାବୋଚ୍ଛଳ ! କବି ଗଡ଼ନାୟକଂକ ମୌଖିକ ମାନପତ୍ର ପୁଣି, ମୋ ପ୍ରତି ସେଇଦିନଠୁ ଉଚ୍ଚାରିତ ହେବାକୁ ଆରଂଭ ହେଲା, ଶେଷ ନହେବା ପାଇଁ ।ଯେତେବେଳେ ବି ସେ କଟକ କି ଭୁବନେଶ୍ୱର ଆସୁଥିଲେ, ଖବର ପଠାଉଥିଲେ ମୋ ପାଖକୁ ।କୃଷ୍ଣଚଂଦ୍ର ତ୍ରିପାଠୀ ମତେ ଟିକିଏ ଦେଖିବା ପାଇଁ କି ଆଗ୍ରହରେ ଚିଠିଖଂଡେ ଲେଖିଥିଲେ, ମୁଁ ପାମର କିଂତୁ ନିଜକୁ କେବେହେଲେ କବିଟିଏ ଭାବିବାକୁ ଭରସିପାରୁନଥିବାରୁ ସଂକୋଚରେ ଦୂରେଇ ରହୁଥିଲି ଭବ୍ୟ ଭାବୁକବର୍ଗଂକଠାରୁ ! ହାୟ, ତାଂକ ନିକଟରେ ବହୁ ବିଳଂବରେ ହେଉ ପଛେ, ପହଂଚିବା ପୂର୍ବରୁ ହିଁ ସେ ଚାଲିଗଲେ, ମତେ ମୋ ଅଂତିମ ଦିନଯାଏଁ ଅନୁତପ୍ତ ରଖି !

 

ହଠାତ୍‌ ଦିନେ ଡଃ ଜାନକୀବଲ୍ଲଭ ମହାଂତି (ଭରଦ୍ୱାଜ) ବହିଟାକୁ ଦେଖିବା ପରେ ମତେ ଡକାଇ ପଚାରିଥିଲେ – “ଏ ବହିରେ କେଉଁଠି ପ୍ରକାଶକ ନାଆଁ ନାହିଁ କାହିଁକି ?”

 

ଏ ପ୍ରଶ୍ନର ଉତ୍ତର ନ ଥିଲା ସେଦିନ ।କାହିଁକିନା ମୁଦ୍ରାକର ସ୍ଥାନରେ ଗଣପତି ପ୍ରେସ୍‌, ମଂଗଳାବାଗ, କଟକ ଉଲ୍ଲିଖିତ ଥିଲା ସିନା, ପ୍ରକାଶକ ନାଆଁ କିଂତୁ ପ୍ରମାଦକ୍ରମେ ବାଦ୍‌ ପଡ଼ିଯାଇଥିଲା ବହିଟାରୁ ।ଗଣପତି ପ୍ରେସ୍‌ର ସ୍ୱତ୍ୱାଧିକାରୀ ପରମାନଂଦ ତ୍ରିପାଠୀ ପରମ ସ୍ନେହ ଓ ବିଶ୍ୱାସରେ ସେ ବହି ଛାପିଦେଇଥିଲେ ସମୁଦାୟ ପ୍ରାପ୍ୟ ବାକି ରଖି ।ମାତ୍ର ଶେଷପର୍ଯଂତ ପ୍ରାପ୍ୟ ପରିଶୋଧ କରିପାରିନଥିବାରୁ ମୁଁ କୁଂଠିତ ଥିଲି ତାଂକୁ ସାକ୍ଷାତ୍‌ କରିବାକୁ ।ସେ ଅପରିଶୋଧିତ ଋଣ ଭୁଲିପାରି ନାହିଁ ଆଜିଯାଏଁ - ତାଂକ ଅର୍ଥ ଓ ଅନୁରାଗ, ଉଭୟର ।

 

“କାଲିର କବିତା” ପ୍ରକାଶ ପାଇଥିଲା ବିନା ପ୍ରକାଶକରେ ।ନିୟମ ଦୃଷ୍ଟିରୁ ତେଣୁ - କି ବହିରେ ବା ଗଣା ? ପ୍ରଥମରୁ ହିଁ ପ୍ରଥମ ବହିଟା ମୋର ପ୍ରଥମ ପ୍ରମାଦ !

 

ପ୍ରଥମ ପ୍ରମାଦ ପରେ ଚୁପ୍‌ଚାପ୍‌ ରହିଗଲି ପାଂଚବର୍ଷ ।

୧୯୮୨ ମସିହାର କଥା ।ମୁଁ ସେତେବେଳକୁ ରଘୁନାଥପୁର କଲେଜରେ ତରୁଣ ଅଧ୍ୟାପକ ।କଟକ ବଦଳି ହୋଇଆସିଥିବା ମୋର ଅବିସ୍ମରଣୀୟ ସାର୍‌ ବ୍ରଜସୁଂଦର ନଂଦ - ଯିଏ ଥିଲେ ମୁଁ ରାଣୀହାଟ ହାଇସ୍କୁଲରେ ପଢ଼ୁଥିବାବେଳେ ମୋର ପରମ ପ୍ରେରଣାଦାତା ପୂଜ୍ୟ ଶିକ୍ଷକ ଏବଂ ପରେ ଯୋଗଦାନ କରିଥିଲେ ଆୟକର ବିଭାଗରେ - ଫୋନ୍‌ କଲେ ହଠାତ୍‌ - “ତୁ କେଉଁଠି-? ଆଜି ସଂଧ୍ୟାରେ ଦେଖା କର୍‌ ଆସି ।”

 

ସେଇ ସଂଧ୍ୟା କଟକର ନବଘନ ଜେନାଂକ ଘରେ ସଂବୋଧିତ ସଂଧ୍ୟାଟିଏ ।ସାର୍‌ ମତେ ପଚାରିଲେ – “ତୋ କବିତା ସ୍କୁଲ୍‌ରେ ପଢ଼ୁଥିଲି ।ସଂବଲପୁରରେ ଥାଇ ତୋ କଥା କହେ ସମସ୍ତଂକୁ।ଏବେ ସେମିତି ଲେଖୁଚୁ ନା କଲମ ଛାଡ଼ିଦେଇଚୁ ?”

 

ମୁଁ ସଂକୁଚିତ ଭାବରେ କହିଲି – “ବହୁତ କବିତା ହଜିଯାଇଚି ସାର୍‌ ! ଅଳ୍ପ କିଛି ଅଛି ।”

ସାର୍‌ ଦୁଃଖ କଲେ ହଜିବା କଥାରେ ।ବଳକା କବିତା ବାବଦରେ କହିଲେ – “ମତେ ଦେଇଦେ।ମୁଁ ଛାପିଦେବି ସେସବୁ ।”

 

ମୁଁ ଆଶ୍ଚର୍ଯ୍ୟ ।

ସାରଂକ ସହଧର୍ମିଣୀ ଶ୍ରୀମତୀ ବିଜୟଲକ୍ଷ୍ମୀ ନଂଦଂକ ଯତ୍ନରେ ସେତେବେଳେ ସଦ୍ୟପ୍ରତିଷ୍ଠିତ “ସତୀର୍ଥ” ପ୍ରକାଶନୀଦ୍ୱାରା ପ୍ରକାଶ ପାଇଲା “କ୍ରୌଂଚମିଥୁନ” ।ଅତଏବ ବିଧିବଦ୍ଧ ଭାବରେ ଏହା ହିଁ ଶେଷକୁ ହେଲା ମୋର ପ୍ରଥମ ବହି - ପ୍ରଥମ ପ୍ରମାଦ ପରେ ପ୍ରଥମ ପ୍ରେମର ପ୍ରତୀକ ।

 

“କ୍ରୌଂଚମିଥୁନ” - ମୋ ତରଂଗିତ ତାରୁଣ୍ୟର ତୃଷିତ ତୀର୍ଥଗୀତି ।ପାଉଁଶତଳୁ ପାତଳ ପର ଝାଡ଼ି ଏପାରିସେପାରି ଉଡ଼ିବୁଲିବାକୁ ଚାହୁଥିବା ମୋ ଉତ୍ତାଳ ପ୍ରେମର ପକ୍ଷାଂତର ।ଏ ବହିର କବିତାସବୁକୁ ନେଇ ଅନେକ କଥା ଆଜି ଇତିହାସ ।ଫୁଲର ଫର୍ଦରେ ଘାସର ଘୋଷଣାନାମା ।ଏ ବହି - ଦ୍ୱିତୀୟ ପ୍ରଥମ ବହି - କଳାଧଳା ରଂଗର ଅଦ୍ଭୁତ ମିଶାଣରେ ଯାହାର ମଲାଟ ଆଂକିଥିଲେ ଅସିତ ମୁଖାର୍ଜୀ - ଅପୂର୍ବ ଅଂତଃସଜ୍ଜା ସହ ।ମଲାଟରେ ରଂଗ ମାଖୁଥିବାବେଳେ ସେଦିନ ଝର୍କା ଆରପଟ ଆକାଶରେ ଉକୁଟି ଉଠିଥିଲା ଅସରାଏ ଝାପ୍‌ସା ମେଘର ଝୋଟି... ପ୍ରସିଦ୍ଧ ପ୍ରଚ୍ଛଦଶିଳ୍ପୀ ମୁଖାର୍ଜୀ ମହାଶୟ ସେ ମଉଳା ମେଘର ମନୋମୁଗ୍ଧକର ମାୟାମୁଦ୍ରାକୁ ଏକବାରେ ଉତାରିଆଣିଥିଲେ ମଲାଟର ଉପରିଭାଗରେ ! କି ଦିବ୍ୟସଂଯୋଗ !

 

“କ୍ରୌଂଚମିଥୁନ” ସେଇ ଆଦ୍ୟଯୌବନର ଈଷତ୍‌ ଇସ୍ତାହାର - ଆଷାଢ଼ଶ୍ରାବଣ ପରି ଯେଉଁଠି ଏକାଠି ହୋଇଥିଲୁ ମୁଁ ଓ ମୋ ବିରହ... ବଗବଗୁଲୀ ପରି ମିଶିଯାଇଥିଲୁ ପୁଣି “ମୁଁ” ଓ “ସେ” ।“କାଲିର କବିତା”ର କିଛି କାବ୍ୟିକ କାକଜ୍ୟୋତ୍ସ୍ନା ମଧ୍ୟ ଜୀବନ୍ୟସ୍ତ ରହିଛି “କ୍ରୌଂଚମିଥୁନ”ର କେତୋଟି ପୃଷ୍ଠାରେ... ପୃଥକ୍‌ ପୃଥିବୀର ପୃଷ୍ଠଭୂମିରେ ।

 

“କ୍ରୌଂଚମିଥୁନ” ପଢ଼ି କବି ରମାକାଂତ ରଥ ମୋ ପାଖକୁ ଦିନେ ପଠାଇଦେଇଥିଲେ ଚିଠି ଆକାରରେ ସେଇ ସ୍ମରଣୀୟ ସଂକ୍ଷିପ୍ତତମ ପ୍ରଶ୍ନପତ୍ର – “ଗୀତରେ କଥା କହିବା ଶିଖିଲ କିପରି ?”

 

“କ୍ରୌଂଚମିଥୁନ” ମୋର ଅନେକ କବିତାକୁ କରିଛି କିଂବଦଂତୀ ।ଅର୍ଜନ କରିଛି ଏକାଧିକ ସଂସ୍କରଣର ବିରଳ ସୌଭାଗ୍ୟ ।"କାଲିର କବିତା' କିଂତୁ ହଜିଯାଇଚି ହୃତସର୍ବସ୍ୱ ହରପାଁର ହତଭଂବ ହାହାକାର ପରି ... ପ୍ରଥମ ବହିର ପ୍ରବଂଚିତ ପ୍ରତ୍ୟୟବଦ୍ଧତା ପ୍ରଦର୍ଶନ କରି !

 

-୦-

 

ସୂଚୀ ଓ ସୂଚନା

 

କେତୋଟି କବିତା :

 

ସ୍ୱପ୍ନର ନାମ ସଂଧ୍ୟାତାରା

କାବ୍ୟ-ନାୟିକା

ତମରି ସବୁଜ ଆଖି

ଆକାଶ ତମରି ନୀଳ ଆଖିପତା

ଉପକଥା ଓ ଉପଲକ୍ଷ

ହେ ମୋର ନଦୀ

ସକାଳର ପକ୍ଷୀ : ସଂଜର ଶାଇରୀ

ଏକ ଇଚ୍ଛା

ସେଇସବୁ ଫୁଲ

୧୦

ତମ ଗାଁ : ପରିଚିତ ସ୍ମୃତି ଓ ଶ୍ରାବଣ

୧୧

ଅକ୍ଷର

୧୨

ଆଷାଢ଼/ଶ୍ରାବଣ

୧୩

ନୂତନ ବର୍ଷା

୧୪

ନକ୍ଷତ୍ର

୧୫

କ୍ରୌଂଚମିଥୁନ

 

କେତୋଟି ସନେଟ୍‌ :

 

ଇତିହାସ

ପ୍ରେମ ଓ ପୃଥିବୀ

କାଳକ୍ରମେ

ନୀଳପକ୍ଷୀ

ତମେ ଆଜି ଚାଲିଯାଅ

ଗଛ

ପ୍ରୀତିର କବିତା

ରାତ୍ରି

ମତ୍ସ୍ୟକନ୍ୟା

କାଚଦର୍ପଣରେ କେଶବତୀ

ସତ କୁହ ସୁଖଲତା

ସଂଭବତଃ

ମୃତସଭ୍ୟତା

ପ୍ରାଚୀନ ସହର

ସ୍ମୃତିଚିତ୍ର

ପାନପତ୍ର ପାଇଁ

ଝରିଯାଉ ସ୍ମୃତିର ଅତୀତ

କବର

ପୂର୍ବାପର

 

ଅକାବ୍ୟିକ :

( କିଛି ଗଦ୍ୟ ।କିଛି ଅଗଦ୍ୟ ।କିଛି ଉକ୍ତି ।କିଛି ଅନୁକ୍ତି । କିଛି ଅଂଗୀକାର । କିଛି ଆତ୍ମାଳାପ-।)

 

Before night comes,

Before the first street lamp is lit,

We shall see in the gutter

The mirror of clouds from afar

Spilling their blood on distant horizons,

And, above the roofs, the birth of a star.

- Robert desnos

 

With a single kiss

I make you blaze with the whole of your being.

Paul Eluard

 

 

ପ୍ରତିଟି ସକାଳ

ଗୁଂଜିତ ଏଠି

ତମରି ସ୍ମୃତିର

ଗୀତେ...

ପ୍ରତିଟି ରାତ୍ରି

ପୃଥିବୀକୁ ଆସି

ତମରି ସ୍ୱପ୍‌ନେ

ବିତେ !

 

।୧।

ଘାସଫୁଲ ପାଖେ

ଶୋଇପଡ଼ି ସିନା

ସ୍ୱପ୍‌ନ ଦେଖିବି

କବରେ

 

ସେଠିକି ବା କିଏ

ଯିବ ଗୋ କାଇଁକି

ଫୁଲ ଦବା ପାଇଁ

ସତରେ ?

 

 

ଫୁଲ ସିନା ସବୁ

ତାରାମାଳ ପରି

ଫୁଟିବେ ଏ ମାଟି

ଆକାଶେ

 

ଫୁଟିବେ କି ସତେ

ସେମାନେ ଏ ପଥେ

କୃଷ୍ଣକବରୀ

ସକାଶେ ?

 

ଫୁଲବାଲୀ କେତେ

ଯିବେ ଏଇ ପଥେ

ଫୁଲ ବିକିବାକୁ

ସହରେ

 

ନିର୍ଜନ ଏଇ

ଘାସଫୁଲ ପାଖେ

ମୁଁ ଥିବି ଦୂର୍ବା

ଗହଳେ !

 

 

।୨।

ଦେଖୁଥିବି ଥାଇ

କ୍ଳାଂତ କିରାଣି

ଫେରୁଥିବେ ସିଟି

ବଜାଇ

 

ଫେରୁଥିବେ କୁଲି-

ରମଣୀ ଏ ପଥେ

ବସ୍ତିର କଥା

ଉଠାଇ !

 

 

ଫେରୁଥିବେ ଶିଶୁ ।

ସଂଧ୍ୟାର ପଶୁ

କରୁଥିବେ ଘାସ

ପାକୁଳି

 

ଅଥଚ ସେମାନେ

ଭାଂଗିବେ ଦିନେ

ମୋ ପରି ମାଟିର

ଶିକୁଳି ।

 

ମୁଁ ଜାଣେ ଏ କଥା ।

ତଥାପି ଏ ବାଟେ

ଚାଲିଗଲାବେଳେ

ସେମାନେ

 

ନିର୍ଜନେ କାଲି

ଘାସଫୁଲ ପାଖେ

ଭାଜିପଡ଼ିବି କି

ଗୁମାନେ !

 

।୩।

ଜାଣିଚି ମୁଁ କେହି

ତୋଳିବେନି ଯାଇ

ମୋଅ ପାଇଁ ଫୁଲ

ଯତନେ

 

ଗୁଂଥିବେ ନାଇଁ

ହାରଟିଏ କେହି

ମୋଅ ପାଇଁ ଦିନେ

ସପନେ !

 

ତଥାପି ସେଦିନ

ଛୋଟ ଜୀବନର

ପରାଜୟ ଭୁଲି

ସତରେ

 

ଘାସଫୁଲ ପାଖେ

ଶୋଇ ମୁଁ ପଡ଼ିବି

ସ୍ୱପ୍‌ନ ଦେଖିବି

କବରେ !

 

ଆଜି ଏ ମାଟିରେ

ଅନୁପସ୍ଥିତ

ଅନାଗତ ଯିଏ

ଏବେ ବି

 

ପ୍ରତିଟି ଫୁଲରେ

ଦାବୀ ତାଂକରି !

ତାଂକରି ଏଇ

ପୃଥିବୀ !

 

 

।୪।

ଏଇ ପଥଧାରେ

ଦୂର୍ବାର ଭିଡ଼େ

ଆସିବା ନଯାଏଁ

ସେମାନେ

 

ଅନାଇ ତମକୁ

ସଂଧ୍ୟାତାରା ଗୋ

ହୋଇଥିବି ଠିଆ

ମଉନେ !

 

ଜଳିବି ଏଇଠି

ଶତବୈଶାଖେ

ଭିଜିବି ବର୍ଷା

କାକରେ

 

ଶତପଉଷର

ଚୁଂବନ ଆଗୋ

ମାଖିବି ଜୀର୍ଣ

ବୁକୁରେ !

 

ଦେଖିବି କିଂତୁ

ଏଇ ପଥେ ଦିନେ

ଆସିବେ ପଥୁକି

କେଇଟି

 

ଗାଇବି ବସି ମୁଁ

ଶେଷଗାନ ମୋର

ତାଂକରି ଆଗେ

ଏଇଠି !

 

।୫।

ତାଂକରି ପାଇଁ

ଶାଖାର ଶୀର୍ଷେ

ଫୁଟିବ କୁସୁମ

ଲକ୍ଷେ

 

ତାଂକରି ପାଇଁ

ଶତବସଂତ

ଆସିବ ଧରଣୀ

ବକ୍ଷେ !

 

ସେଇଦିନ ମୁଁ ଗୋ

ଭୁଲିବି କ୍ଷୁଦ୍ର

ଜୀବନର ଯେତେ

ଦଇନି...

 

ସେଇଦିନ ମୁଁ ଗୋ

ଝରାପଲ୍ଲବେ

ଲେଖିବି ବିଦାୟ

ରାଗିଣୀ !

 

ଘାସଫୁଲ ପାଖେ

ଶୋଇ ମୁଁ ପଡ଼ିବି

ସେଇଦିନ ଶେଷ

ସପନେ...

 

ସଂଧ୍ୟାତାରା ଗୋ

ସେଇଦିନ ମତେ

ଡାକିନେବ ଆସି

ଗୋପନେ ॥

-୦-

 

ତମେ ରାତ୍ରିର ରଜନୀଗଂଧା

ପ୍ରଭାତେ ପଦ୍ମକଳୀ

ତମେ ପଥିକର ବିରହ-ବେଦନା

ଗୃହୀର କୁଂଜେ ଅଳି !

 

ତମେ ତାପସର ସ୍ୱପ୍‌ନଭଂଗ

ତମେ ତୃଷ୍ଣାର ଜଳ-ତରଂଗ

ଚିରମୂର୍ଛିତ ମରୁର ବକ୍ଷେ

ତମେ ବାଦଲର ତରୀ ॥

 

ତମେ ବୃଷ୍ଟିର ପ୍ରଥମ ପତନ

ତମେ ସୃଷ୍ଟିର ସୁଧା

ତମେ ତୃଷିତର ମେଘମଲ୍ଲାର

ତମେ ବନ୍ୟାର କ୍ଷୁଧା !

 

ତମେ ଭାଦ୍ରର ଭରା ଅଭିମାନ

ତମେ ଚଇତିର ଚୁଂବନଦାନ

ଚିର ଏ ପିଆସୀ ନୟନଦିଓଟି

ତମରି ସ୍ୱପ୍‌ନେ ମୁଦା ॥

-୦-

 

ଏଇ ସଂଜର ଆକାଶ ଯେମିତି

ତମରି ସବୁଜ ଆଖି

ଦୀର୍ଘ ଅଜଣା ଅଭିସାର-ପଥେ

ଯାଏ ମତେ ଯାଏ ଡାକି !

 

ସେ ଆଖେ ଅଶ୍ରୁ ଆଷାଢ଼ଶ୍ରାବଣ

ଓଦା କରିଯାଏ ଏଇ ମୋର ମନ

ବୈଶାଖୀଲିପା ଏଇ ମୋ ପରାଣେ

ଯାଏ ମୌସୁମି ମାଖି ॥

 

ଆଉ ପୁଣି ଯେବେ ରାତ୍ରି ଘନାଏ

ତମ ଦୁଇଆଖି ଛୁଇଁ

ଭାବେ ନିର୍ଜନେ : ଦୁଇଟି ତାରା ବା

ପାଇଚି ହାତରେ ମୁଇଁ !

 

ହେଲେ ନିଷ୍ପାପ - ସେ ଆଖିଦୁଇଟି

ଦେଖି ମନେହୁଏ : ସତରେ ଏଇଠି

ଅଂଧାରେ ଅବା ଜଳୁଚି ମୋ ପାଇଁ

ମଂଗଳଦୀପ ଦୁଇ ॥

-୦-

 

ବେଳେବେଳେ ଭାବେ :      ସ୍ୱପ୍‌ନ ଯେମିତି

ଦିଗଭୁଲା ଗୋଟେ

ନଈ

ଆଉ ତମେ ଆସ      ସେ ନଈଗଂଡେ

ସୁନାର ତରଣୀ

ବାହି !

କୂଳେ ଠିଆହୋଇ      ଡାକେ ଯଦି କାହିଁ

କୂଳର ମଣିଷ

ମୁଁ -

ତମେ ତ ଆସନା      ହେ ମେଘ-ବସନା

ବହୁଦୂରୁ କୁହ :

ଉଁ !

 

ମୁଉଁ ଯେବେ ଦିଏ      କୂଳର ଇସାରା

ପାଖକୁ ଆସିବା

ପାଇଁ

ତମେ ହଜିଯାଅ      ଦିଗଂତଧାରେ

କୂଳଭୁଲା ଗୀତ

ଗାଇ !

 

ବହିଯାଏ ଜଳ      ଚଳ-ଚଂଚଳ...

ରହିଯାଏ ପାଶେ

କୂଳ

ଆଉ ରହିଯାଏ      ଏଇ ବୁକେ ଯାହା

ଉଦାସ ମଉଳା

ସୁର !

 

ଶତଗୋଧୂଳିର      ମୃତ୍ୟୁରେ ଏଠି

ବଂଶୀ ବାହୁନି

ଯାଏ

ଖୋଜେ ମୁଁ ତମକୁ      ବନହଂସୀ ଗୋ

ଅଂଧାରେ ବସି

ହାଏ !

 

ଦୂରେ ବହୁଦୂରେ      ନୀଳଅଂଧାରେ

ତମରି ନାଆଟି

ମିଶେ...

କୁଆଁରୀ ନଈର      ଅଛୁଆଁ ଗଂଡେ

କାଳିଜାଈ ମତେ

ଦିଶେ !

 

ଆଉ ମତେ ଲାଗେ      ସତରେ ଯେମିତି

କହିଯାଏ ଚଲା

ସୁଅ :

ଆକାଶ ତମରି      ନୀଳଆଖିପତା...

ସାଗର ତମରି

ଲୁହ॥

-୦-

 

ଉପକଥା

 

ବଗିଚା ସେଦିନ            କହିଲା ଫୁଲର

କାନେ :

ଫୁଲରେ, ମୋ ବିନା            ଜୀବନେ ତୋ ନାହିଁ

ମାନେ !

 

ମୋ କୋଳ

ମୁଖର

ଭଅଁରର ଉଚ୍ଛ୍ୱାସେ...

ଫୁଲ କହେ : କିଏ            ଭଅଁରକୁ ଡାକି

ଆଣେ ?

 

ଆକାଶ ବି ଦିନେ            ଜହ୍ନ ମୁହଁକୁ

ଚାହିଁ

କହିଲା : ମୋ ବିନା            ଜୀବନେ ତୋ କିଛି

ନାହିଁ !

 

 

 

ମୋ କୋଳ

ଉଜଳ

ମଧୁଜ୍ୟୋତ୍ସ୍ନାର ରାସେ...

ଜହ୍ନ କହିଲା :            ଜ୍ୟୋତ୍ସ୍ନା ଯେ ଥାଏ

କାହିଁ ?

 

ଉପଲକ୍ଷ

 

ମୁଁ ଯଦି ଏପରି            ଆକାଶର ସମ

କୁହେ,

ବଗିଚା ପରି ଗୋ            ମୁଁ ଯଦି ଅବୁଝା

ହୁଏ;

 

ଫୁଲ ପରି ତେବେ            ଭ୍ରାଂତି ତୁଟାଇ ମମ

କ୍ଷମିବ ନାହିଁ କି

ଶୂନ୍ୟ ମୋ ଉପହାସେ ?

 

ଦେବନି କି ମତେ            ମଧୁଜ୍ୟୋତ୍ସ୍ନା ସେ ତମ

ଚାଂଦ ହୋଇ ଗୋ

ଏଇ ମୋ ପ୍ରଣୟାକାଶେ ??

-୦-

 

ଇଚ୍ଛା ହୁଏ

ତମରି ଛାତି ପରେ

ଶୋଇ ମୁଁ ଯିବି

ମଥାଟି ମୋର ଜାକି

 

ତମରି ଓଠୁ

ଶୁଣିବି ଗୀତ ଥରେ

ତାପରେ ପଛେ

ବୁଜି ମୁଁ ଦେବି ଆଖି ॥

 

ସ୍ୱପ୍‌ନ ଆଉ

ଶଂଖଚିଲ ହୋଇ

ତମରି କୂଳେ

ଉଡ଼ିବ କେତେ ଦିନ ?

 

କାମନା ଆଉ

ବତୁରା ବିଲ ହୋଇ

ତମରି ଜଳେ

ବୁଡ଼ିବ କେତେ ଦିନ ??

 

ଇଚ୍ଛା ଏଣୁ -

ହଜି ମୁଁ ଯିବି ସତେ

ତମରି ବୁକେ

ତମରି କୋଳେ ଖାଲି...

 

ତାପରେ ପଛେ

ଭୁଲି ମୁଁ ଯିବି ମତେ

ହେ ମୋର ନଦୀ,

ହେ ମୋର ଚୋରାବାଲି !

-୦-

 

।୧।

ସେ ଗାଆଁର ଫୁଲ ତମେ

ଏ ଗାଆଁର ସୁରଭି

ସେ କୂଳର କଂପନ...

ଏ କୂଳର ପୂରବୀ !

 

ଆକାଶର

ମେଘ ତମେ

ଧରତୀର

ସପନ

 

ଏଇ ମନେ

ଝରିଗଲ...

ଝରିଗଲ

ଶ୍ରାବଣ !

 

ତଥାପି ଜାଣେନା ତମେ

ଗୋଲାପ କି କରବୀ ?

ସେ ଗାଆଁର ଫୁଲ ତମେ

ଏ ଗାଆଁର ସୁରଭି ॥

 

।୨।

ଯାଅ ଯଦି ମେଘ ତମେ

ଦୂରେ କେବେ ବାହାରି

ଫୁଟ ଯଦି ଫୁଲ ତମେ

କାନନେ ଗୋ କାହାରି

 

ମୁଁ ତମକୁ

ଖୋଜିଯିବି

ସକାଳର

ପକ୍ଷୀ...

 

ଅଂତିମେ

ଫେରି ଦିନେ

ଚିହ୍ନିବି

ଚମକି –

 

ତମେ ଯେ ଝରୁଚ ମୋର

ସଂଜର ଶାଇରୀ

ମୋ ପାଖେ ରହିଚ ମୋର

ସକାଳର ଡାଇରି ॥

-୦-

 

।୧।

ତମରି ସ୍ମୃତିର ସ୍ୱପ୍ନ-ଶ୍ୟାମଳ

ଦିଗ୍‌ବଳୟର କଡ଼େ

ନୀଳବିହଂଗ ଉଡ଼ି ଶିଖୁଶିଖୁ

ଯଦି ମୁଁ ଗୋ ଖସିପଡ଼େ

ଇଚ୍ଛା ମୋ ଖାଲି

ମୁଁ କେମିତି ଆହା

ଫୁଲଗଛଟିଏ ହୋଇ

ତମରି ହାତର ମମତା ଭିତରେ

ତମ ବଗିଚାରେ ବଢ଼େଁ !

 

ନିୟମିତ ତମେ ସଲିଳ ସିଂଚି

ଫୁଲଗଛଟିର ମୂଳେ

ଗୁଣୁଗୁଣୁ କେତେ ଗୀତ ଗାଉଥିବ

ଅବୁଝା ଅନେକ ସୁରେ !

ଅନେକ କଢ଼ର

ସପନ ଶେଷରେ

ଦିନେ ତ ଦେଖିବ ଯାଇ

ଫୁଲଗଛ ସିଏ ହସୁଛି କେବଳ

ତମରି ସ୍ମୃତିର ଫୁଲେ ॥

 

ଆଉ ଦିନେ ପୁଣି ତମର ସେ କେଉଁ

ପ୍ରିୟଜନ ଆସି ଥରେ

ଫୁଲଟିଏ ତୋଳି ଖୋଷିବେ ତମରି

କୃଷ୍ଣକବରୀ ପରେ !

ତମେ କି ବୁଝିବ

ଗଛଟିର ବ୍ୟଥା

ଛିନ୍ନକୁସୁମ ପାଇଁ ?

ହସିହସି ଏକା ଆଖିର ଶାମୁକା

ମୁଦିଥିବ ସରାଗରେ !!

 

।୨।

ବିତିଯିବ ଦିନ ......................

...........................      ହଠାତ୍‌ ଅଦିନ

ବର୍ଷାର ଆଘାତରେ

ଭାଂଗିପଡ଼ିବ ଛୋଟ ଫୁଲଗଛ

ଦିନେ ଭିଜାମାଟି ପରେ !

ସେଦିନ ସକାଳୁ

ବଗିଚାକୁ ଆସି

ଫୁଲଗଛଟିକୁ ଚାହିଁ

ଅଜାଣତେ ଆହା ଲୁହ କେଇଟୋପା

ପୋଛିନେବ ପଣତରେ !!

 

ସେଦିନ ଆହତ ଫୁଲଗଛ ସିଏ

ଶୋଇରହି ବଗିଚାରେ

ଭାବୁଥିବ ଖାଲି: ଆଉ କିବା ଲୋଡ଼ା

ପରଜନ୍ମର ପାରେ ?

ଏଇ ଜନ୍ମରେ

ମତେ ଚାହିଁ ଯିଏ

ଦିନେ କେବେ ହସିନାଇଁ,

ସେ ଆଜି ମୋ ଲାଗି ଅଶ୍ରୁ ଢାଳିଲା

ଶେଷବିଦାୟର କାଳେ !!

-୦-

 

ଯେଉଁସବୁ ଫୁଲ

ବାସହରା ହେଲା ଜାଣି

ଗଭାରୁ ଅଚ଼ିରେ

ଦିଅ ଗୋ ନିର୍ବାସନ,

ସେଇସବୁ ଫୁଲ

ମାଟି ପରୁ ଟେକିଆଣି

ଅଂତର ଭରି

ଢାଳିଯିବି ଚୁଂବନ !

 

ସେଇସବୁ ଫୁଲେ

ଗୁଂଥିବି ଏକ ମାଳ....

ସେ ମାଳ କଂଠେ

ଜଡ଼ାଇବି ମୋର ଜାଣ

ମହକ ନ ଥାଉ

ମୂଲ ବି ନ ଥାଉ ତାର

ମୁଁ ଗାଇବି ସେଇ

ମାମୁଲି ମାଳାର ଗାନ !

 

ସେଇ ଗାନ ଗାଇ

ମୁଁ ଦିନେ ଯିବି ଗୋ ଚାଲି

ଆଉ ହଜିଯିବ

ଏ ମାଟିରୁ ଏକ ଛାଇ...

ପାରିହୋଇ ତମେ

ଅତୀତର ଚୋରାବାଲି

ମୋ କବର ପାଶେ

ଯିବ ଯଦି କେବେ ଧାଇଁ;

 

ନେବନି ସଦ୍ୟ

କୁସୁମର ଉପହାର

ମତେ ଖାଲି ସେଇ

ଝରାଫୁଲ ତଳେ ଖୋଜ

କବର ଭିତରୁ

ମାମୁଲି ଏ ଗୀତିକାର

କହିବ : ଚାହେନା

ଦାମୀ ଫୁଲହାର ବୋଝ !

 

ଯେଉଁସବୁ ଫୁଲ

ଫିଂଗିଯାଇଚ ତମେ

ସେଇସବୁ ଫୁଲ

ଏଇ ମୋ ଜୀବନେ ପ୍ରିୟ

ପ୍ରିୟ ସେ ବେଦନା

ମୂର୍ଛିତ ଏ ମରମେ

ଦାମୀ ଫୁଲହାର

ନିଅ ଗୋ ଫେରାଇନିଅ ॥

-୦-

 

।୧।

ମନେପଡ଼େ ମୋର      ତମରି ସୁଦୂର

ନଈ ଆରପାରି ଗାଆଁ

ଅଶ୍ରୁ-ଆତୁର       ଶ୍ରାବଣ ଯେଉଁଠି

ଭୁଲିଥିଲା ନିଜ ନାଆଁ !

 

ସେଦିନ ଶ୍ରାବଣ      ଚକିତ ମେଘର

ମମତା ମୁଠାଏ ନେଇ

ଫଗୁଣଛିଂଚା      ଲପନେ ତମରି

ବିଂଚି ଗୋ ଥିଲା ଦେଇ !

 

ଆଉ ଯାହା ଦେଲା...      ସେ କଥା କହିବି ?

କହି ବା ପାରିବ କିଏ ?

ଶ୍ରାବଣ ଯେ ମୋର      ଗତବର୍ଷର

ସାଇତା ଡାଇରିଟିଏ ॥

 

ମତେ ସେ କିଂତୁ      ଦେଇଯାଇଥିଲା

ସ୍ମୃତିର ପ୍ରତୀକମାନ

ଭୁଲିପାରିବିନି      ଭଲପାଇବାରେ

ଶ୍ରାବଣର ଅବଦାନ !

 

ସଂଚିତ ସେଇ      ସ୍ମୃତିର ଏଲିଜି

ବଂଚିତ ମନେ ଭରି

ଆଜି ମୁଁ ଆସିଚି      ଦୂର ଏ ସହରେ

କ୍ଳାଂତ ବାଟୋଇ ପରି !

 

ମାତ୍ର ସ୍ୱପନେ      ଭାବିଥିଲି କିବା

ଦୂର ଏଇ ପ୍ରବାସରେ

ଦେଖା ହେବ ବୋଲି      ଶ୍ରାବଣ ସଂଗେ

ଗୋଟିଏ ବର୍ଷ ପରେ ?

 

ଜାଣିଚ, ବଂଧୁ      କାଲିରାତି କଥା ?

ଝାଂଜିବତାସି ନେଇ

ଏଇ ସହରକୁ      ଆସିଥିଲା ସିଏ

ତମରି ଆକାଶ ଡେଇଁ ॥

 

।୨।

ସେଇ ଯେ ଶ୍ରାବଣ      ଡାକିଗଲା ମତେ

ହାତ ଠାରି ବାତାୟନେ

ଶ୍ୟାମଳ ମମତା      ଢାଳି ଦେଇଗଲା

ପ୍ରବାସର ଅଂଗନେ !

 

ଆଜି ମୁଁ ସକାଳୁ       ଉଠିସାରି ଦେଖେ

ଶ୍ରାବଣର ଅଭିସାର

ଛୋଟ ବଗିଚାରେ      ରଖି ମୋ ଯାଇଚି

ନୀଳଚୁଂବନ ତାର !

 

କିଂତୁ ସହସା      ଦେଖିଲି ଏ କିବା ?

ଦୁଃଖେ ପଡ଼ିଲି ଭାଜି

ଭଲପାଇଥିବା      କୃଷ୍ଣଚୂଡ଼ା ମୋ

ଝରାଇ ପାଖୁଡ଼ାରାଜି

 

ଚୁଂବି ଛୁଇଁଚି      ଘାସର ଛାତିକୁ

ପର୍ଣ-ଲପନ ନୋଇଁ...

କିଂତୁ କି ଏକ      ସରମ-ନମ୍ର

ନବବଧୂଟିଏ ହୋଇ !

 

ବୁକୁର ଯେତିକ      ବ୍ୟକ୍ତ-ବେଦନା

ହଜିଗଲା ଓଠପୁଟେ

ତମେ କି ଦିଶିଲ      ନବବଧୂ ସମ

ସ୍ମୃତିର ସ୍ୱପ୍ନ-ତୁଠେ !

 

ଜାଣେନା କାଇଁକି      ବର୍ଷାର ନୂଆ

ମାନଚିତ୍ରକୁ ନେଇ

ହସି ମୁଁ ଉଠିଲି...      ଶିଶୁ ପରି ପୁଣି

ଉଠିଲି ଚପଳ ହେଇ !

 

ତମରି ସ୍ମୃତିରେ      ଭସାଇଦେଲି ମୋ

କାଗଜର ଛୋଟ ନାଆ

“ପ୍ରୀତି” ବୋଲି ଲେଖି      ଦୁଇପାଖେ ତାର

ପୁରୁଣା ଗୋଟିଏ ନାଆଁ ॥

-୦-

 

।୧।

ପ୍ରେମ ଯଦି ମୋର ସୁଦୂର ସଂବୋଧନ

ମୋ ପାଇଁ ମୋ ମନ ଚିହ୍ନାଚଢ଼େଇଟିଏ

ଆଜି ଉଡ଼ିବୁଲି ରଚଇ ଅନ୍ୱେଷଣ...

କାଲି ବସି କାହିଁ କ୍ଳାଂତି ମିଟାଇନିଏ !

 

ପ୍ରେମ ଯଦି ହୁଏ ସୁଦୂର ସଂବୋଧନ

ବିବେକ ମୋହର ମାତଲାମି ତେବେ କରେ

ଏଡ଼ାଇ ତଥାପି ଅଶରୀରୀ ବଂଧନ

ମୋ ମନ-ଚଢ଼େଇ ବୁଡ଼ିବାକୁ ଚାହେ ଥରେ !

 

ମୋ ମନ-ଚଢ଼େଇ ଘାସର ଦରଦ କଳେ

ଆଉ ବୁଝିପାରେ ଊର୍ମିର ଅଭିସାର...

ମାୟାବିନୀ ମେଘ-କନ୍ୟାର କୁଂତଳେ

ସିଏ ଯାଇ ଖୋଷେ ଫୁଲ ଏଇ ବଗିଚାର !

 

ସତ ଓ ମିଛର ଲକ୍ଷ ବିରୋଧାଭାସେ

ସେ ଗାଏ କେବଳ ଡେଣା ପିଟିବାର ଗାନ

ଇଆରି ଭିତରେ ଉଡୁଉଡୁ ଉଚ୍ଛ୍ୱାସେ

ସେ ଶୁଣେ ଏକଦା ବୁଡ଼ିବାର ଆହ୍ୱାନ!

 

ଗାଉଗାଉ ଏକା ଉଡ଼ିବୁଲିବାର ଗୀତ

ମୋ ମନ-ଚଢ଼େଇ ବୁଡ଼ିବାର ଡାକ ଶୁଣି

ଅଚାନକ ହୁଏ ଚକିତ, ଉଚ୍ଚକିତ

ମାଟିର ବକ୍ଷେ ଓହ୍ଲାଇଆସେ ପୁଣି !

 

ସେ ଶୁଣେ ମାଟିରେ ଆତ୍ମୀୟ ଏକ ଗାନ

ସେଇ ଗାନ ତାକୁ ଆଣେ ଯେ ଆକାଶୁ ଡାକି

ଆକାଶୀ ଜୀବନେ ଖୋଜୁଖୋଜୁ ସମାଧାନ

ସେ ବୁଝେ କେବଳ : ଏତିକି ହିଁ ଥିଲା ବାକି ।

 

।୨।

ପ୍ରେମ ଯଦି ହୁଏ ସୁଦୂର ସଂବୋଧନ

ଆକାଶୀ ମମତା - ନୁହେଁ ତେବେ ନୁହେଁ ମୋଟେ

ଏ ଦେହରୁ ନେଇ ଅଦେହୀ ଆକର୍ଷଣ

ପ୍ରେମ ଭାସିଆସେ ପବନର ଥରାଓଠେ !

 

ଚିହ୍ନାଚେତନା ହଜାଇଲା ବେଳେ ଠାବ

ପ୍ରେମ ଏକ ଡାକ - ଅଜଣା ଅଂତରର...

ଉଡ଼ିବାର ଶେଷେ ବୁଡ଼ିବାର ଯେଉଁ ଭାବ,

ପ୍ରେମ ଇ ତାହାର ପରିଚିତ ଅକ୍ଷର ॥

-୦-

 

ପ୍ରେମ କି ସତେ            ବର୍ଷାଋତୁ

ଘନାଇଆସେ            ମନେ ?

ମୌସୁମିର             ପରଶ ଆଣେ

ମୌନ                  ଯୌବନେ ?

 

ଆଷାଢ଼ ହସେ ଶୂନ୍ୟ ଛୁଇଁ

ଶିହରେ ସାରା ସାହାରାଭୂଇଁ

ଆସେ ଗୋ ପ୍ରୀତି-ଜହ୍ନ ଉଇଁ

ମେଘର ବାତାୟନେ...

ପ୍ରେମ କି ସତେ ବର୍ଷାଋତୁ

ଘନାଇଆସେ ମନେ ?

 

ପ୍ରେମ କି ସତେ      ବର୍ଷାଋତୁ

ବଉଦ ବୋହି      ଆଣେ ?

ବନ୍ୟା ଦେଇ      ମନର ନଈ

ଉତଲା କରି      ଜାଣେ ?

 

ତମରି ସ୍ମୃତି / ସ୍ୱପ୍ନ ପରି

ଶ୍ରାବଣ ସତେ ଆସେ ବା ଝରି

ଅଶ୍ରୁ ଖାଲି ଅଶ୍ରୁ ଭରି

ଆଖିର ଆୟତନେ...

ପ୍ରେମ କି ସତେ ବର୍ଷାଋତୁ

ଘନାଇଆସେ ମନେ ?

-୦-

 

ତମେ ଦେଇଥିବା       ଧୂମାଳ ସ୍ୱପ୍ନ

ସ୍ମୃତି ହୋଇ ଘେରିଯାଏ

ତମେ ଗାଇଥିବା       ମଧୁସଂଗୀତ

ଫୁଲ ହୋଇ ଝରିଯାଏ ।

 

ଏଇ ଜନମର ନୀଳନଈକୂଳେ

ତମରି କାମନା-ଊର୍ମି ଆକୁଳେ

ଶୋକେ ଉଚ୍ଛ୍ୱସି ଡାକିଯାଏ ଆସି

ମଥା ପିଟି ଫେରିଯାଏ...

ଏ ମୋର ରାଗିଣୀ        ମରୁରେ ଶ୍ରାବଣୀ

ଖୋଜିଖୋଜି ମରିଯାଏ ॥

 

ମୁଁ ଖୋଜେ ତଥାପି        ଶୂନ୍ୟଜୀବନେ

ଫୁଲଫସଲର ଛାଇ...

ମଲାଜହ୍ନର ଘା' ଲିଭିଯାଏ

ସମୟର ସ୍ନେହ ପାଇ !

 

ସକାଳର ଖରା ଝରିଯାଏ ଯେବେ

ସ୍ମୃତିର ସଂଜେ ଭାବେ ମୁଁ ଗୋ ତେବେ

ସେଦିନର ସେଇ ନୀଳସ୍ୱପ୍ନର

ଦୂରଦିଗଂତୁ କାହିଁ

ହେ ମୋର ଅତୀତ, ତମେ କି ଆସୁଚ

ନୂତନ ବର୍ଷା ବାହି ॥

-୦-

ଅନେକ ଦିନରୁ

ସକାଳ ସରିଚି ମୋର

ସଂଧ୍ୟା ବି ମୋର

ସରିଚି କେବଠୁ ସତେ

ସେ ତମ ଆଖିର

ଶୀତଳ ଅଂଧକାର

ସତରେ ଗୋ ଆଜି

ବାଂଧିରଖିଚି ମତେ !

ଆବୋରି ରଖିଚି

ସକଳ ସତ୍ତା ମୋର

ଦୁଇଟି ଆଖିର

ସେଇ ଯେ ଗୋଟିଏ ରାତି...

ସେଇ ଯେ ଗୋଟିଏ

ରାତ୍ରିର ପାରାବାର

ଡାକେ ଆଜି ମତେ

ଢେଉର ପଣତ ପାତି !

ମନ ହୁଏ : ହେବି

ସେଇ ଦରିଆର ମାଝି

ନିଜ ପାଇଁ ଦିନେ

ଖୋଜିବି ଗୋଟିଏ ଟାପୁ

ହଜିଯିବି ସେଇ

ଦୁଇଟି ଆଖିରେ ଆଜି

ଗୋଟିଏ ରାତିର

ଅଂଧାର ମାପୁମାପୁ !

ହଜିଯିବି ସେଇ

ରାତିର ଆକାଶେ ଏବେ

ସେଇ ଯେ ଉଦାସ

ଆଖିର ଅଂଧକାରେ...

ଇଚ୍ଛା ମୋ ଜାଗେ -

ନିଭିଯିବା ଆଗୁଁ କେବେ

ନିର୍ଜନେ ତହିଁ

ତରା ହୋଇ ଜଳିବାରେ ॥

-୦-

 

ଆଉଥରେ            ଫେରେ ଯଦି

ଅତୀତର

ଗୋଧୂଳି

ତମ ଓଠ            ବଗିଚାରେ

ଫୁଟେ ଯଦି

ବଧୁଲି

ସମୟକୁ

ଡାକୁଡାକୁ

ଆମେ ତେବେ ଉଡ଼ିଯିବା

ତମର ମୁଁ            ବଗ ଆଉ

ତମେ ମୋର

ବଗୁଲୀ ॥

 

ଆମ ଭୁଲ୍‌            ବୟସର

ବାକୀଖାତା

ଭିତରେ

ଜମିଥିବା            ଧୂଳିସବୁ

ଝାଡ଼ିବାକୁ

ସତରେ

 

ବେଳ କାଇଁ

ଆମ ପାଇଁ ?

ସ୍ମୃତିର ଶିଉଳିସବୁ

ଥାଉ ପଛେ            ଲାଗିଥାଉ

ଅତୀତର

ତୁଠରେ ॥

 

ଆମେ ଦୁହେଁ            ଏଡ଼ିବା ଏ

ବୟସର

ବତାସ

ରଖିବାନି            ଛାଇରେ ବି

ଆମରି ଏ

ଆଭାସ !

 

ମନ ଯେବେ

ହୁଏ କେବେ

ଉଡ଼ିବାକୁ କିଛିଦିନ

ଆମେ ତେବେ            ବାଛିନବା

ଆଉ ଏକ

ଆକାଶ ॥

 

ଆଉ ଏକ            ଆକାଶର

ଆମେ ହବା

ଚାରଣ

ଆମେଦୁହେଁ            ପାରିହବା

ଜନ୍ମ ଓ

ମରଣ !

 

ଆମ ଭଲ

ପାଇବାର

ଦୁଇଟୋପା ଲୁହ ହବ

ଆଉ ଏକ             ଆକାଶର

ଆଷାଢ଼ ଓ

ଶ୍ରାବଣ ॥

 

ହେଲେ ଆମେ            ପାରିହୋଇ

ଏ ପାରିର

କୁହୁଡ଼ି

ସମୟର            ସେପାରିକି

ଯିବା ଦିନେ

ବାହୁଡ଼ି !

 

ଆମେ ବଗ

ବଗୁଲୀ ଗୋ

ଆଉ କେବେ ଫେରିବାନି

ଆଉଥରେ            ଡାକିଲେ ବି

ଅତୀତର

ଗୋଧୂଳି ॥

-୦-

 

 

କେତୋଟି ସନେଟ୍‌

 

All that I know

is that I'm hurt

hurt to the heart

struck from above

Burning for ever

wounded by love

- Jacques Prevert

 

Remember that your love

I love more than your self.

Rene Guy Cadou

 

ଫୁଲ ପଡ଼ୁ ତମ

ଯାତ୍ରାପଥରେ

ମୋ ପାଇଁ            ପଡ଼ୁ ଗୋ

ଖଇ

ଦୀପ ଜଳୁ ତମ

ମଧ୍ୟ-ନିଶୀଥେ

ମୋ ପାଇଁ            ଜଳୁ ଗୋ

ଜୁଇ !

ଏତେ ବର୍ଷ ପରେ ଆଜି ନିଜ ହାତେ ଟେକି ଏ ଖପୁରି

କିଏ ବା ପାରିବ ବାରି ସେଦିନର ତତଲା ନିଃଶ୍ୱାସ ?

ଜୀବନର ଜେହାଦ୍‌ରେ ସବୁକିଛି ହୋଇଯାଏ ଭୁଲି

ଦି'ଦିନିଆ ମଣିଷ ବି ଭୁଲିଯାଏ ପ୍ରେମ ଆଉ ପ୍ରାସ ॥

ଭୁଲ୍‌ କଥା ଏ ଦୁନିଆ ।ଭୁଲ୍‌ ହୁଏ ଚଂଦ୍ରାବତୀ କଥା

ରଜାପୁଅ କାହାଣୀରେ ମଂତ୍ରୀପୁଅ ପିତୁଳା ପାଲଟେ !

କିଏ ଏଠି କାହା ପାଇଁ ଲୋତକରେ ଲେଖିଯାଏ ବ୍ୟଥା ?

ଆମର ଏ ଦୁନିଆରେ - ସତ, ମିଛ - ସବୁ କ'ଣ୍‌ ଘଟେ ?

ମାୟା-ଦୁର୍ଗ ଭାଂଗିପଡ଼େ ଜୀବନର ଗରିଲା ଯୁଦ୍ଧରେ

ଭାଂଗିପଡ଼େ ଇତିହାସ ।ଭାଂଗିପଡ଼େ ମିଥ୍‌ର ମୁଲକ,

ଧୂଆଁ ଓ ପାଉଁଶ ଉଡ଼େ ଆମ ଗାଆଁ-ମଶାଣିମୁଂଡରେ

ଜଳଂତା ଜୁଇର ଜିଭ ଚାଟିନିଏ ମାଉଁସଟିକକ॥

ଖପୁରିଟି କହେ ଖାଲି : କଣା ମୋର ଆକ୍ଷି ତଳୁ ଦିନେ

ଦୁନିଆର ଜୀବଟିଏ ଖୋଜିଥିଲା ଜୀବନର ମାନେ ॥

-୦-

 

ସେଦିନ ବି ପ୍ରେମ ଥିବ ।ଥିବ ପୁଣି ପ୍ରେମ ପାଇଁ ପାପ ।

ଏ ପୃଥିବୀ ପିଂଧୁଥିବ ରାତି ଆଉ ଦିନର ନିର୍ମୋକ...

ଦେହ ଥିବ ।ଦାହ ଥିବ ।ଘାସ ଆଉ ଫୁଲର ମାଟିରେ

ସେଦିନ ବି ମୃତ୍ୟୁ ଥିବ... ଆଉ ଥିବ ଜୀବନର ଭୋକ ।

 

ସେଦିନ ବି ଯୁଦ୍ଧ ଥିବ ।ସ୍ୱପ୍ନ ଥିବ ମଣିଷ ଜାତିର

ଜହ୍ନ ଥିବ ।ତରା ଥିବ ।ଘାଆ ପୁଣି ପାହାଡ଼ର ଦିହେ...

ଖରା ଥିବ ।ମେଘ ଥିବ ।ନଅଂକ ବା ନଈବଢ଼ି ଯାହା

ସେଦିନ ବି ଥିବ, ଥିବ... ସବୁକୁ ବା ପୋଛିଦେବ କିଏ ?

 

ସେଦିନ ବି ଥିବ ତମେ ।ରାତି ଥିବ ତମରି ଗଭାରେ...

ତାତି ଥିବ ଦେହେ ପୁଣି... ଓଠେ ଥିବ ଗୋଧୂଳିର ନାଲି

ଅଥଚ ଏ ସବୁ ସହ - କବିର ଏ ଛୋଟ ପୃଥିବୀକୁ

ସେଦିନ ଆସିବ ଯଦି, ତମେ କିଂତୁ ଦେଖିଯିବ ଖାଲି -

 

କବରର ଫାଟ ତଳୁ ମୁଂଡ କାଢ଼ି ଦୂବଗଛଟିଏ

ତମକୁ ଚାହିଁବ ଆଉ ପଚାରିବ : କିଏ ତମେ, କିଏ ?

-୦-

 

 

 

କାଳକ୍ରମେ ଲୋଟିଯିବେ ଏଇସବୁ ଝାଉଁଗଛମାନେ

କାଳକ୍ରମେ ଢେଉମାନେ ଚାଲିଯିବେ ଢେଉଂକ ସଂଧାନେ ।

ପ୍ରତିଠୁଁ ମେଲାଣି ନେବେ କ୍ରମେକ୍ରମେ ପ୍ରତିଟି ତାରିଖ

ଆଉ ତ ଆସିବନାଇଁ କବିତାରେ ତମରି ପ୍ରତୀକ ॥

 

କାଳକ୍ରମେ ତେରନଈ ସାତସିଂଧୁ ହେଲେ ବି ଶୁଖିଲା

ଶଂଖ ଓ ଶାମୁକା ନେଇ ଖେଳିବେ ଯେ ଛୋଟଛୋଟ ପିଲା

ବଗିଚା ବି ହଜିଯିବ... କାଳକ୍ରମେ ଆମରି ଘରୋଇ

ପକ୍ଷୀମାନେ ଉଡ଼ିଯିବେ ନିଜ ବାଟେ ଡକାଡକି ହୋଇ ॥

 

ବେଳାଭୂଇଁ ଥିବ ତାର ଭାବାତୀତ ଧ୍ୟାନର ଆସ୍ଥାନେ

ତା କୋଳକୁ ଆଶ୍ରିଥିବେ ସାନସାନ ପାଦଚିହ୍ନମାନେ ।

ସେମାନଂକୁ ଦେବା ପାଇଁ ଟିକେହେଲେ ସ୍ନେହ କି ଆଶିଷ

ଆଉ ତ ଫେରିବେନାଇଁ ସେଦିନର ପୁରୁଣା ମଣିଷ॥

 

ଆଉ ତ ଏ ଝାଉଁବଣ ଗାଇବନି ତମଆମ ଗୀତ

ଆମ ପାଇଁ ଏଠି ଆଉ ବହିବନି କଅଁଳ ଚଇତ॥

-୦-

 

 

ଦିନେ ଯେଉଁ ଗଛଟିଏ ରଖିଥିଲା ସାଇତି ମୁକୁଳ,

ସେ ଆଜି ଗଲାଣି ମରି ।ମଲାଗଛେ ଫୁଟେନାଇଁ ଫୁଲ

ଦିନେ ଯେଉଁ ପକ୍ଷୀଟିଏ ଗୀତ ଗାଇ ପିଟୁଥିଲା ଡେଣା,

ସେ ଆଜି ଗଲାଣି ଉଡ଼ି ।ଉଡ଼ାପକ୍ଷୀ ବାହୁଡ଼ି ଆସେନା ॥

 

ଦିନ କିଂତୁ ଥିଲା ଯେବେ ଖରା ହେଲେ ବଗିଚାକୁ ଯାଇ

ସେଇ ଗଛେ ବସୁଥିଲା ସେ ପକ୍ଷୀଟି ।ଖୋଜୁଥିଲା ଛାଇ

ଦିନେ କିଂତୁ ଉଡ଼ିଗଲା... ଉଡ଼ିଗଲା ପର ଝାଡ଼ି ତାର

ସେଦିନ ଆସିଲା ମୃତ୍ୟୁ - ପରସଁର ଭଲପାଇବାର ॥

 

ହୁଏତ ସେ ଉଡ଼ାପକ୍ଷୀ ଆଜି କେଉଁ ଗଛଡାଳେ ବସି

ନୀଳନୀଳ ଡେଣା ମେଲି ଶୁଣୁଥିବ ସ୍ମୃତିର ବଇଁଶୀ !

ହୁଏତ ସେ ଖୋଜୁଥିବ ପତ୍ର ଆଜି ଅନ୍ୟ କେଉଁ ଶାଖେ

ହୁଏତ ସେ ହଜିଥିବ ଅନ୍ୟ କେଉଁ ଅରଣ୍ୟର ଡାକେ ॥

 

ଆଗୋ ତମେ ନୀଳପକ୍ଷୀ ! ତମେ ଖାଲି ଖୋଜିଥିଲ ଦେହ...

ବୁଝି ତ ନଥିଲ ସେଇ ବଗିଚା ଓ ଗଛଟିର ସ୍ନେହ ॥

-୦-

 

ଏ ରାତିର ଜହ୍ନ ଆଜି ଅସ୍ତ ହୁଏ ତମରି ଆଖିରେ

ତମରି ଆଖିରେ ଆଜି ଫିକା ପଡ଼େ ସମୟର ନୀଳ

ସମୟର ରଂଗସବୁ ଆସ୍ତେ ଏବେ ନିଭିଗଲା ପରେ

ଆଜି ମୋର ମନେପଡ଼େ ତମ ଯିବା ଆସିବାର ବେଳ ॥

 

ତମେ କେବେ ଆସିଥିଲ - ସ୍ମୃତି ତାର ନିଭିଚି ଯଦିବା,

ତମର ଯିବାଟା କିଂତୁ, ଚିରଦିନ ରଖିଗଲା କ୍ଷତ...

ଆଜି ତେଣୁ ମନେହୁଏ : ଦେହଠାରୁ ଦାହ ବୋଧେ ବଡ଼

ପ୍ରେମର ଏ ଚଲାପଥେ ଆସିବାଠୁ ଯିବାଟା ହିଁ ସତ॥

 

ତମ ଆସିବାଟା ତେଣୁ - ମିଛ ଗୋଟେ କୁହୁଡ଼ିର ଗାର...

ପାଇବାର ସୁଖ କେବେ ବଡ଼ ନୁହେଁ ହଜାଇବା ଦୁଃଖୁ

ଦୁଃଖ ମତେ କଲା କବି... ସେଇ ଦୁଃଖ - ତମ ଉପହାର

ତମ ଯିବାବେଳେ ତେଣୁ, ହୃଦୟ ମୋ ନ ଡାକୁ ତମୁକୁ ॥

 

ତମେ ଆଜି ଚାଲିଯାଅ ।ଠିକ୍‌ ବାଲି-ହରିଣୀଟି ପରି...

ଏ ଆଖିର ମରୁ ଡେଇଁ ସେଦିନର ନୀଳସ୍ମୃତି ଧରି॥

-୦-

 

ଏଇଠି ଏ ମଶାଣିରେ ଉଦାସିଆ ମାଲଭାଇ ପରି

ଘୁମାଏ ପାହାଂତି ଯେବେ, ଅସ୍ତବ୍ୟସ୍ତ ପବନ ଗୁମୁରେ,

ମୁଁ ବୁଲେ ସେତିକିବେଳେ - ଡେଇଁଡେଇଁ ହାଡ଼ ଓ ଖପୁରି

ମୁଁ ପଢ଼େ କବର-ଲିପି : ଏ ଜୀବନ ସରେନି ମୃତ୍ୟୁରେ॥

 

ମୃତ୍ୟୁରେ ସରେନି ଯଦି ଏ ଜୀବନ, ତମେ ତେବେ କୁହ

ଦୂରେଇ ଯିବାଟା କେବେ ଆଣିପାରେ ଦୂରତ୍ୱର ଭ୍ରମ ?

ଦୟାବତୀ ସ୍ୱପ୍ନ ମୋର, ହେ ଅଫେରା ସମୟର ସୁଅ,

କେମିତି ଏ ବିଚ୍ଛେଦରେ - ଆଜି ତେଣୁ ସରିବ ସେ ପ୍ରେମ ?

 

ମରଣେ ସରେନା ପ୍ରାଣ... ବିରହରେ - ପ୍ରେମ ସରେନାଇଁ

ଏ ଅଶେଷ ଜୀବନରେ ଆଉ ତେବେ କ୍ଷୋଭ କାହିଁ ? କ୍ଷମା ?

ନ ଫେରୁ କୋଇଲି ପଛେ, ନ ମିଳୁ ବି ଫୁଲଫଳ, ଛାଇ;

ମୁଁ କିଂତୁ କଂଟାର ଗୀତ ଗାଇବିନି, ଗାଇବିନି ଜମା ॥

 

ଗାଇବି ତମରି ସ୍ମୃତି... ଥାଅ ପଛେ, ଯେଉଁଠାରେ ଅଛ

ତମ ପାଇଁ ପୋତିଥିଲି ମଂଜି ଦିନେ... ହେଲାଣି ସେ ଗଛ ॥

-୦-

 

ଫୁଲ ଫୁଟି ଝରିଯାଏ ।ଝରାଦୁଃଖେ ବାହୁନେ କାନନ

କାନନର ଦୁଃଖ ଦେଖି କାଂଦେ ପୁଣି କୋଇଲିର ମନ

ବାଟଭୁଲା ବସଂତକୁ ସେଇ ମନ ଆଣେ ଅବା ଡାକି

ଫୁଲ ପୁଣି ଫୁଟିଉଠେ... ସ୍ୱପ୍ନ ଦେଖେ ମରୁର ପଥୁକି ॥

 

 

ଯଦି ତେଣୁ - ମୁଁ କାଂଦୁଚି - ଆଜି ଏଇ ନିରୋଳା ଲଗନେ

ଫୁଲ ତ ଫୁଟାଇବାକୁ - ଜାଣ କେତେ ମନର କାନନେ

ଆମ ଅଶ୍ରୁ ଫୁଲ ହେଉ - କଂଟାଭର୍ତି, ଏ ଚଲାପଥରେ...

ସେଇ ତ ପରମ ତୃପ୍ତି ଜୀବନର ଦଗ୍‌ଧବସଂତରେ ॥

 

ମୁଁ ଡାକୁଚି ।ତମେ ଆସ ।ସମୟର ନୀଳନଈ ତୀରେ

ଆମେ ଦୁହେଁ ସାକ୍ଷୀ ରଖି ଶତାବ୍ଦୀର ଶାୟିତ ମମିରେ

ଆଜିର ଏ ଶୀତଦିନେ ଡାକିବା ସେ ବସଂତକୁ ବାରେ

ଅନେକ ଝାଉଁଳାପତ୍ର ହସିବ ହିଁ ଫୁଲବଗିଚାରେ ॥

 

ଦୁଃଖ ନାଇଁ, ଯଦି ଦୁଇ ଜୀବନରେ ଜଳିଉଠେ ଚିତା

ନିଜେ କାଂଦି ଗାଇଯିବା ପ୍ରାଣେପ୍ରାଣେ ପ୍ରୀତିର କବିତା॥

-୦-

 

କାଲିର ସେ ଜହ୍ନ ହଜେ ଆଜିର ଏ କୁହୁଡ଼ି ଭିତରେ

ବିଗତ ସେ ବର୍ଷସବୁ ଆଜି ଏଠି ସ୍ମୃତି ହୋଇ ଝରେ !

ଏ ରାତିର କାକର ବି ଥୋପାଥୋପା ଲୁହ ହୋଇ ଜମେ

ଗାଅନା କାଲିର ଗୀତ... ଘାସଫୁଲ, ଶୋଇପଡ଼ ତମେ॥

 

କା ପାଇଁ ବା କିଏ ଏଠି ନାନାବାୟା ଗୀତ ଗାଇଯାଏ ?

ବୋଉର ପାପୁଲି ପରି ସମୟ କା ପିଠି ଥାପୁଡ଼ାଏ ?

ସବୁ ପରା ଶୁନ୍‌ଶାନ୍‌ ସବୁ ପରା ନୀରବ ନିଥର

ପକ୍ଷୀ ମୋର, ତୋଳ ନାଇଁ - ସେଦିନର ସେସବୁ ଲହର॥

 

ଆଜିକାଲି ଭାରି ଥଂଡା... ଭାରି ଜାଡ଼... ଭାରି ଆହା ଶୀତ

ଏ ରାତ୍ରିରେ ଶୁଭେନାଇଁ ଆଜି ଆଉ ସୂର୍ଯର ସଂଗୀତ !

ସ୍ମୃତି ମୋର, ଶୋଇପଡ଼ - ସମୟର ସବାରି ଭିତରେ

ସ୍ୱପ୍ନ ମୋର, ଶୋଇପଡ଼ - ଏ ରାତିର ହଂସୁଲିଶେଯରେ ॥

 

ଶୋଇପଡ଼, ହେ ଅତୀତ ! ଶୋଇପଡ଼ ! ସୂର୍ଯ ଯାଏ ଅସ୍ତ...

ବେଢ଼ାଏଁ ମୁଁ ଚାଦର ଗୋ ପଉଷର ପରସ୍ତ ପରସ୍ତ ॥

-୦-

 

ଆହା କି ଆଶ୍ଚର୍ଯ କଥା ! ବହୁ ମୃତ୍ୟୁ, ବହୁ ଜନ୍ମ ପରେ

ଆଜି ମୋର ଦେଖା ହେଲା ମୌନାବତୀ ମତ୍ସ୍ୟକନ୍ୟା ସହ

ଗଜମୋତି ଗଜରାଟେ ଗଳାରେ ତା, କଂକଣ ବି କରେ

ଶାମୁକା-ଆକ୍ଷିରେ ପୁଣି ଶଂଖେ ଶୁଭ୍ର ସ୍ନେହର ସଂଶୟ !

 

ଏକଦା ମୁଁ ଆସିଥିଲି ବତିଘର ଡାକବଂଗଳାକୁ

ସେଦିନ ଉଷୁମ୍‌ ଥିଲା ଉଜାଗରୀ ଉଆଁସର ରାତି

ଅଭିସାର ରଚି ଅବା ଆସିଥିଲା ବିଜନବେଳାକୁ

ସେ ଶୁଭ୍ର ଶଂଖିନୀନାରୀ... ତନୁତଳ୍ପ ଦେଇଥିଲା ପାତି !

 

ସିଏ ମତେ ଡାକିଥିଲା ।ଭୁଜବଂଧେ ରଖିଥିଲା ଭିଡ଼ି

ବହୁ ଜନ୍ମ ବିତିଗଲା... ଭାବୁଥିଲି : କିଏ ଏ ଅନନ୍ୟା ?

ସର୍ଜିଥିଲା ସ୍ୱର୍ଗକୁ ସେ ସମୁଦ୍ରରୁ ସୁନାସ୍ୱପ୍ନଶିଡ଼ି

ଯେବେ ସେ ବାହୁଡ଼ିଗଲା, ଜାଣିଲି ମୁଁ - ସିଏ ମତ୍ସ୍ୟକନ୍ୟା !

 

ଯଦିବା ସାକ୍ଷାତ୍‌ ହେଲା ସେଦିନର ମତ୍ସ୍ୟକନ୍ୟା ସଂଗେ

ମୁଁ ତୀରରେ ।ସେ ନୀରରେ - ନିରୁଦ୍ଦିଷ୍ଟ ତରଂଗେ ତରଂଗେ ॥

-୦-

 

କାମନାର କେଶବତୀ ବେଶ ହୁଏ ଶେଷ-ସାୟାହ୍ନରେ

କାଚର ଦର୍ପଣ ତାର ସତେ ଅବା ଏଇ ମୋର ମନ...

ଦିନ ତାର ଦଂଶେ ମୋତେ... ରାତି ମୋର ଜଳେ ତା ଜହ୍ନରେ

ସାରାସ୍ୱପ୍ନ ସଂଭବତଃ ତାରା ତଳେ ତିମିର-ତର୍ପଣ !

 

କେବେ ସିଏ ରାଜହଂସୀ ।କେବେ ସିଏ ଲାଜବଂତୀ ମାୟା

ମୋ ମେଘର ମାନଚିତ୍ର ମାଖିହୁଏ ମୟୂରାକ୍ଷୀ ମୋହ

ତିଳତିଳ ନୀଳବର୍ଷା - ତା ପାଇଁ ମୋ ନିଜ ନାନାବାୟା

କିଛି ଲୁହ କାକର ତା... କୁହୁଡ଼ି ବି କିଛି କିଛି କୋହ !

 

 

ଯଦିବା ମାଲୁମ୍‌ ମତେ : ବୟସଠୁ ହସ ତାର ବେଶି

ତା ଦେହର ଦୀର୍ଘିକାରେ ଲହଡ଼ି ମୋ ସରିନାଇଁ ଗଣା

ତଥାପି ତା ତୀରେତୀରେ ଶୁଣଇ ମୁଁ ପ୍ରିୟ ପରଦେଶୀ

କରୁଣ କରୁଣ କେଉଁ କୁଳୁକୁଳୁ କୁଆଁରୀ କାଂଦଣା !

 

ଏଇ ମୋ ନିର୍ଜନ ମନ ଯଦି ତାର କାଚର ଦର୍ପଣ

ଥରଟିଏ ଭାଂଗିଲେ ବି ଯୋଡ଼ିବାଟା ସପତ-ସପନ ॥

-୦-

 

ଏବେ ତମ ସହରରେ ଶୀତଋତୁ ।ନେପାଳୀ ଝିଅର

ତୀକ୍ଷ୍ଣନୀଳ ଗାର ପରି ତୀବ୍ର ଦୁଇ ଆକ୍ଷିର ଅଂଧାରେ

ନେସିହୁଏ ନିର୍ଜନତା ।ଛିଂଡିପଡ଼େ ଚଢ଼େଇର ପର

ଦୂଷିତ ଦିନାଂତଟିଏ ଦାନା ବାଂଧେ ଦୈନଂଦିନତାରେ !

 

ହରଦମ୍‌ ହରତାଳ ।ହାଇ ମାରେ ହାଡ଼କଟା ଲେନ୍‌

ସଂଜର ସଂଦିଗ୍ଧ ସତ୍ତା ପ୍ରଶ୍ନ ଲିପେ ରାତି ଚାରିପାଖ...

ଦିଗଂତର ଦୋଛକିରେ ଦିଶଇ କି ଦ୍ରୁତଗାମୀ ଟ୍ରେନ୍‌ ?

କୋଇଲା ଧୂଆଁର ଧାରେ କୋଇରାଲା କେଶର କୋଣାର୍କ !

 

ସହରର କାଂଥବାଡ଼େ ବିତର୍କିତ ଛବିର ଚେହେରା

ନାୟିକାର ନୂଆଗପ ବିକାହୁଏ ସତମିଛ ଲେଖି

ଗରାଖର ଗହଳିରେ ଗୁଜବର ଘୂରା ଏବଂ ଫେରା

ତମେ କିଂତୁ ପୁହାଉଚ ସୁଖନିଦ୍ରା ସ୍ୱପ୍ନ ଦେଖିଦେଖି !

 

ସତ କୁହ ସୁଖଲତା, ଦୁଃଖ କେବେ କରିନ କା ପାଇଁ ?

ତକିଆରେ ମୁହଁ ମାଡ଼ି ମୁହୂର୍ତଟେ କାଂଦିଚ ନା ନାଇଁ ??

-୦-

 

ଘଟିଥିଲା କେବେ ଗୋଟେ ଦୁର୍ଘଟଣା ଦୂରଦରିଆରେ...

ମନେଅଛି ତାରିଖ ତା - ମାସ ଆଉ ଖ୍ରୀଷ୍ଟାବ୍ଦ ସମେତ ?

ସଂଭବତଃ, ଜାହାଜଟା ଦିଗ ହୁଡ଼ି ଅମୁହାଁ ଅଂଧାରେ

ବରଫପାହାଡ଼ ସହ ପିଟି ହେଲା... ଜାଣିନ ତମେ ତ !

 

ସେ ଜାହାଜ ପାଇଁ ଆଉ ଆସିନାଇଁ ସୁନେଲି ସକାଳ

ଏବେ ସୁଦ୍ଧା କେବେକେବେ ମିଳୁଚି ତା ଟୁକୁଡ଼ାଟୁକୁଡ଼ା

ଅଥଚ ଦରିଆଗର୍ଭେ ରହିଚି ସେ ଅଦ୍ଭୁତ କଂକାଳ

ଯା ହାତର ହାଡ଼େ ଅଛି ଆଜି ମଧ୍ୟ ଫୁଲର ପାଖୁଡ଼ା !

 

ସେ କଂକାଳ ଚାରିପଟେ ଥିବ ଦିନେ ଚମର ଚମକ

ରକ୍ତ ଥିବ, ମାଂସ ଥିବ... ଥିବ ଏକ ପିପାସିତ ପ୍ରାଣ

ତା ହାତର ଫୁଲଟିରେ ତମ ପାଇଁ ଥିବ ବି ମହକ

ଯଦ୍ୟପି ତା ପାଇଁ ଆଜି ଅର୍ଥହୀନ ଜହ୍ନରାତିମାନ !

 

ସର୍ବଶେଷ ସମୁଦ୍ରରେ ସଂଭବତଃ, ତମେ ସେଇ ଦ୍ୱୀପ,

ଯେଉଁଠାରୁ ଫେରିନି ତା ଫୁଲସଂଜ ସମୟ ସମୀପ ॥

-୦-

ଏଇଠାରେ କେବେ ଦିନେ ଥିଲା ଗୋଟେ ଗୋଲାପର ଗଳି

ଫଗୁଣ ବି ପଢ଼ୁଥିଲା ଫର୍ଦଫର୍ଦ ଫୁଲର ଫତୁଆ

ପତ୍ରର ପ୍ରଳାପମାନ ପ୍ରତିଦିନ ପ୍ରତିଧ୍ୱନି ଭଳି

ଫେରୁଥିଲା ପବନରେ ।ସବୁ ପୁଣି, ଲାଗୁଥିଲା ନୂଆ !

ଆଜି ସବୁ ଶୁନ୍‌ଶାନ୍‌ ।ଆଜି ଏଠି ସରିଚି ଶରୀର

ସବୁଜିମା ବଦଳରେ ଚଉସୀମା ଚରିଚି ଶିଉଳି

କୁହୁଡ଼ିର କୁହୁକରେ ଡେଣାମାନ କଟିଚି ପରୀର

ଭୁତିଆରି ବଣସାରା ଭୁଆଁ ବୁଲେ ଗାଉଁଲି ଗୋଧୂଳି !

ଶରୀର ସରିଚି ସିନା ସରିନାଇଁ ହାଡ଼ର ହିସାବ

କରୁଣ କବରଲିପି କାକରକୁ କେଉଁ କଥା କହେ ?

କିଏ ତମେ ଭଗ୍ନସ୍ତୂପେ ଖୋଜିବୁଲ ଭାଷାତୀତ ଭାବ ?

ଆଜି ଏଠି ପକ୍ଷୀ ଫେରେ ପ୍ରବାସକୁ କାଂଦିକାଂଦି ବହେ !

ବାଲିର ଏ ବୁଲାଣିରେ ବାଟ ଭୁଲେ ବିଧବା ବେତୱା...

ମହେଂଜୋଦାରୋର ମୋଡ଼େ ହତଭଂବ ହରପ୍ପାର ହାୱା ॥

-୦-

 

ପ୍ରାଚୀନ ସହର

ଏଠାରେ ଉଦାସଋତୁ ଆଂକେ ଏକ ପ୍ରାଚୀନ ସହର

ଯା ବାଉନ ବଜାରକୁ ବଂଜାରୁଣୀ ବୋଝ ଯାଏ ଧରି

ଓ ତେପନ ଗଳିମୋଡ଼ୁ ଫେରେ ଆସି ପ୍ରତ୍ୟେକ ପ୍ରହର

ଅନୁତପ୍ତ ଅନୁଦିନ ଅଶରୀରୀ ଅଶ୍ୱାରୋହୀ ପରି ।

 

କେଉଁ କାଠୁରିଆ କାହିଁ କାଠ କାଟେ ? କାଲିରାତି କି ସେ ?

କାଲିରାତି ବର୍ଷା କୁଟି ଗଛବୃଚ୍ଛ ଭାଂଗିଛି ପ୍ରବଳ

ନ ଦିଶଂତୁ ଦୁଆରୁ ସେ ଦିଗଂଗନା, ଧଳାଜହ୍ନ ଦିଶେ

ଖିଡ଼ିକି ଖୋଲିଲେ ଖଂଡେ ନକ୍ଷତ୍ରର ନୀଳକ୍ଷେତ୍ରଫଳ ।

 

କୌଣସି ଭୋର୍‌ର ବସ୍‌ ଚିଲାଏନା : ଫାଲ୍ଗୁନ ଫାଲ୍ଗୁନ

ଚେଇଁଶୁଏ ଚୈତାଳିକା କେହି ଅବା ଆସିପାରେ କାଳେ

ଶୁଣ ତମେ - ପଦ୍ମତୋଳା ଶୁଣି ବି ଯେ ପହଡ଼ ଭାଂଗୁନ -

ନୈଋତର ନଦୀ ଏବେ ନିର୍ଜଳା ତା ଏକାଦଶୀ ପାଳେ ।

 

ଏଠାରେ ତାରିଖସବୁ ବାର ଭୁଲେ ।ବର୍ଷ ଭୁଲେ ମାସ

ତମେ ଫୁଟ ପଦ୍ମଫୁଲ - ମୁଁ ଦୂରରୁ ଦେଖେ ଦୂବଘାସ॥

-୦-

 

ସ୍ମୃତିଚିତ୍ର

ଆସଂତି ନାୟିକାବୃଂଦ ନାଟକକୁ ଗାଥା ନା ଗଳ୍ପରୁ ?

କେଉଁଠାରେ ସ୍ମୃତିଚିତ୍ର ସାତଚଂପାକଳିକାଖଚିତ ?

କେଉଁ କେଳିକୁଂଜରେ କା କଟାହୁଏ କେତେ କଳ୍ପତରୁ ?

ଚଉପହରରେ ଚାଲେ ଚାଂଦ୍ରାୟଣ ଚଂଦନଚର୍ଚିତ ।

 

ଜଳ ଓ ଜହ୍ନର ଜଳେ ରେଖାଚିତ୍ର ରେଳପୋଲ ତଳେ

ମୁଖ୍ୟତଃ ଏ ମହାନଦୀ ମର୍ମରିତ ମୋକ୍ଷର ବା ମରୁ...

ଦାଉଦାଉ ସିଂଦୂରରେ ତୀର୍ଥବତୀ ତ୍ରିନୟନା ଦଳେ

ନା ଆସେ ନର୍କରୁ ନାରୀ ନା ବି ଶୂନ୍ୟ-ସୁଂଦରୀ ସ୍ୱର୍ଗରୁ ।

 

କେଉଁ ଦେବୀ ବହୁଭୁଜା / କେଉଁ ଦେବ ଅନେକ ଆନନ

ଏ ପୀଠରେ ପ୍ରେମ ସଂଖ୍ୟା ପାଂଚ୍‌ ହେଲେ ସ୍ୱପ୍ନ ସଂଖ୍ୟା ସାତ୍‌

ଏ ପଟେ ଫୁଲର ପଠା ।ସେପଟେ କି ସତ୍ୟାମ୍ରକାନନ ?

ଦ୍ରୁତଗାମୀ ଟ୍ରେନ୍‌ରେ ମୁଁ ଦ୍ରୌପଦୀକୁ ଦେଖିଛି ଦୈବାତ୍‌ !

 

ଏ ଫଟୋଚିତ୍ରକୁ ଏଠୁ ମାନମୟୀ ଫିଂଗିପାରେ ମୋଡ଼ି

କୁଳୁକୁଂଚା କରେ କିଛି କୁଳୁକୁଳୁ କ୍ଳାଂତ କାଠଯୋଡ଼ୀ॥

-୦-

 

ପଉଷର ପାପୁଲିରେ ଆଉଁଶନା ଡାହୁକର ଡେଣା

ଉଡ଼ିଯାଅ ମହୁମାଛି, ମାଘର ଏ ମଫସଲ ଡେଇଁ

ଫିକାଫିକା ଫୁଲସଂଜେ ଫିଂଗିଦିଅ ଫଗୁଣର ଫେଣା

ଚଂଦନ ଚିତାରେ ଆଜି ଚଇତ୍ର ମୋ ଶୋଇଥାଉ ଚେଇଁ !

 

ସଜଳ ଏ ସୂର୍ଯାସ୍ତରେ ସରିଆସୁ ସଂପର୍କ ସମସ୍ତ

ତାରିଖର ତାଲିକାରୁ ଚିରିଦିଅ ଚିହ୍ନିତ ଚତୁର୍ଥୀ...

ବୋଳିହେଉ ବରୁଣେଇ ବିଷଣ୍ଣତା ବନସ୍ତ ବନସ୍ତ

ଏଥର ପଥର ପଛେ - ହୁଅ ତମେ, ମୌନାବତୀ ମୂର୍ତି !

 

ସମୟ ଶୁଣାଇଯାଏ ସ୍ମୃତିନାମା ଶୀତସଂପର୍କିତ

ଅଂତ ହେବ ଅତଃପର ବସଂତର ବ୍ୟବଚ୍ଛେଦ ବୋଧେ

ଶୁଆର ଏ ଶାଳବଣେ ସରିଆସେ ଶାରୀର ସଂଗୀତ

ବିରହ ବତୁରି ହୁଏ ବର୍ଷାଋତୁ କଜ୍ଜ୍ୱଳିତ କ୍ରୋଧେ !

 

ଶୋଇପଡ଼ ସୁନାଗୋରୀ, ସଜଫୁଲ ସୁପାତି ସଜାଇ

ସ୍ନେହ ମୋ ସାଇତାଥାଉ ସାନସାନ ପାନପତ୍ର ପାଇଁ ॥

-୦-

 

ଦରଦୀ ଗଳାର ସୁର ମରିଯାଉ, ଝରିଯାଉ ଆଜି...

ଶେଷ ହେଉ ଆଜି ଏଇ କବିତା ଓ କବରର ଗୀତ

ଗୋଧୂଳିର ଗେଂଡାଳିଆ ପରସବୁ ଝାଡ଼ିଗଲା ପରେ

ଆଜି ବଂଧୁ ହଜିଯାଉ ତମରି ଓ ମୋ'ରି ଅତୀତ ॥

 

ହଜିଯାଉ “ବଂଧୁଆ”ରେ ! ହଜିଯାଉ ସେ ଦିନର ଚିଠି

ମନର କପୋତ ପଛେ ଆଜିଠାରୁ ବାଟବଣା ହେଉ

ସମୟର ଅଣଚାଶ ନୀଡ଼ ତାର ଭାଂଗିଦେଲା ପରେ

ଫେରିଯାଉ ମିତୁଆରେ ! ଫେରିଯାଉ ଅତୀତର ଢେଉ ॥

 

ଝଂକା ଏଇ ଗଛଡାଳେ ବସା ବାଂଧୁ ନୂଆପକ୍ଷୀ ଆସି

ସେ ପଛେ ନ ବୁଝୁ ଦିନେ କାଟି ଏଇ ଗଛର ସୁଆଗ -

ପୁରୁଣା ଶୁଆକୁ ଛାଡ଼ି ଦୂରେ କେବେ ଉଡ଼ିଗଲା ଶାରୀ

ସିଏ ବରଂ ଗୀତ ଗାଇ, ଧୋଇଦେଉ ଅତୀତର ଦାଗ॥

 

ବଗୁଲୀର ଲୁହ ପରି ଝରିଯାଉ ସ୍ମୃତିର ଅତୀତ...

ଶେଷ ହେଉ ମିତୁଆରେ, ମଲ୍ଲୀଫୁଲ ଫୁଟିବାର ଗୀତ ॥

-୦-

 

କବର

 

।୧।

କବର ଗୋଟିଏ ସ୍ମୃତି, ଯାହା ପରେ ପାରିଦେବ ଆସି

ଦୁଃଖିତ ସମୟ ଦିନେ ଘାସ ଆଉ ଶିଉଳିର ସ୍ନେହ

କବର ଗୋଟିଏ ସ୍ୱପ୍ନ, ଯାହା ପରେ ଝରାଇବ ଆସି

ପଉଷରାତିର ପାପ ଥୋପାଥୋପା କାକରର କୋହ॥

 

କବର ଗୋଟିଏ ଗୀତ, ଯେଉଁ ଗୀତ ଗାଇବାକୁ ମତେ

ହୁଏତ କେଇଟା ବର୍ଷ ଅପେକ୍ଷାରେ କଟିବ ଆହୁରି

କବର ଗୋଟିଏ ମେଘ, ତଳେ ଯା'ର ଶୋଇଥିବା ବେଳେ

ମତେଇ ଆଉଁଶୁଥିବ ଓଦାଓଦା ମୃତ୍ୟୁର ପାପୁଲି ॥

 

କବର ଗୋଟିଏ ଶେଯ, ଯାହା ପରେ ତମେ ଦିନେ ଆସି

ମୋ ପାଇଁ ବିଛାଇଦେବ ଫୁଲସବୁ ।ପଢ଼ିବ ଫଳକ :

ଏଇଠାରେ କିଏଜଣେ ଘାସ ପାଖେ ଘୁମେଇପଡ଼ିଚି

ତାକୁ ଆଉ ଉଠାଅନା, ଶୋଇନି ସେ ଜୀବନଟା ଯାକ ॥

 

ଶୋଇବାଲୋକର ନିଦ ଭାଂଗେ ସିନା କାଉ ଡାକ ଦେଲେ

କବର ଗୋଟିଏ ନିଦ, ସେ ନିଦ କି ଭାଂଗେ କେବେହେଲେ ?

 

।୨।

କବର ଗୋଟିଏ ଇଚ୍ଛା, ଯେଉଁ ଇଚ୍ଛା ପଥର ପାଲଟେ

ଅହଲ୍ୟାର ଅରଣ୍ୟରେ ଆଖଂଡଳ ଆକ୍ଷି ଆଢ଼ୁଆଳେ

କବର ଗୋଟିଏ କଢ଼, ଯେଉଁ କଢ଼ କଢ଼ାଏ ଫୁଲଟେ

ଉର୍ବଶୀର ଉଦ୍ୟାନରେ ଉଁଚାଉଁଚା ଉଡୁଂବରଡାଳେ !

 

କବର ଗୋଟିଏ ଆଶା, ଯେଉଁ ଆଶା ହଜାଇଚି ବାଡ଼ି

ଘନକୁହୁଡ଼ିରେ ଘେରା ଘାସର ଏ ଘୋରବନସ୍ତରେ

କବର ଗୋଟିଏ କୋହ, ଯେଉଁ କୋହ ଅଧାଲେଖା ଧାଡ଼ି

କଂଟାର ଏ କଲମରେ କାଣିଚାଏ କୋହଲା କାକରେ !

 

କବର ଗୋଟିଏ ଛାଇ, ଯେଉଁ ଛାଇ ସଂଜ ଦେଇସାରି

ଓଉପତ୍ର ଓଢ଼ଣାରେ ଆବରେ ତା ଅଂଧାର ଅମାପ

କବର ଗୋଟିଏ କଇଁ, ଏତେଟିକେ କାଂଦି ବି ନ ପାରି

ପୋତା ପଂକପୋଖରୀରୁ ପାଖୁଡ଼ାରେ ପୋଛିନିଏ ପାପ !

 

କବର ଗୋଟିଏ ଫୁଲ, ଯେଉଁ ଫୁଲ ଫୁଟିବା ସକାଶେ

କସ୍ତୂରୀମୃଗର ବନୁ - ମୃତ୍ୟୁ ନିଜେ ଋତୁ ହୋଇ ଆସେ॥

 

 

।୩।

କବର ଟୋପାଏ ଲୁହ ।ଅମାନିଆ ଆକ୍ଷିପାଣି ନୁହେଁ,

ଆଉ ଏକ ଅପେକ୍ଷାର ଆଂଜୁଳାଏ ଆଷାଢ଼ଶ୍ରାବଣ

କବର ଥୋପାଏ ସ୍ନେହ ।ଗାଆଁମୁଂଡ-ମଶାଣିର ମୁହେଁ

କାହା କୁଶ-କୁସୁମରୁ ଆହା ଇଏ ପାଦୁକ ପାବନ ?

କବର ଅରାଏ ଦୁଃଖ ।ଆଉଁଶେ କି ଅୟସୀ ଅଂଗୁଳି

ପାଣିଚିଆ ପାଦଟୀକା ପାଉଁଶର ପାଟଳିପୁତ୍ରରେ ?

କବର କେରାଏ ଦୂବ ।ସେ ଦୂବରେ ଦେବୀପାଦଧୂଳି

ଦେବୀହାତ ଗୁଂଥୁଚି ଏ ଦୁଃଖସୁଖ ଗୋଟିଏ ସୂତ୍ରରେ !

କବର ବୁଂଦିଏ ବ୍ୟଥା।ଭିଜାଇଚି ଭଲପାଇବାକୁ

ଆଂକିଚି ବି ଆଲିଂପନ ଅଭିଆଡ଼ୀ ଅଭିସାରିକାର

କବର ପଦିଏ କଥା ।ଆଉପଦେ କଥା କହିବାକୁ

କା ଜିଭରେ ହାଡ଼ ଅଛି ? ହାଡ଼େହାଡ଼େ ହିମ ହାହାକାର !

କବର ଚେନାଏ ଚିହ୍ନ : ଚୂନାଚୂନା ଚୁଡ଼ିର ଚୁଂବନ...

ଚଇତ୍ରର ଚିଠି ଚିରେ ବଇଶାଖୀ ବତାସୀପବନ ।

।୪।

କବର ତ କନିଅର ।କନିଅର କାହାଳୀ କାହାରି

ଦୁଃଖର ଏ ଦୂବଦେହେ ଶୋକସବୁ ଶିଉଳିରଂଗର...

କବରୀର କଳାମେଘ କେରିକେରି କିଆରି କିଆରି

ଧୂସର ଧାନର ଧାର ଧୋଇଦିଏ ଧବଳଟଗର !

 

କବର ତ କାଶଫୁଲ ।କାଶଫୁଲ କଳିପାରେ ନାଇଁ

ବାଲ୍ୟବିଧବାର ବେଶ ବୟସର ବୋହୂଚୋରିବେଳେ

ବୟସ ତ ବଉଦର ଫଗୁଫର୍ଦ ଫୁଲବାଣୀ ପାଇଁ

ଭାବର ଭେଳିକି ଭାରି ଭୁଆସୁଣୀ ଭସାମେଘମେଳେ !

 

କବର ତ କଲରେଇ ।କଲରେଇ କୁନିକନିଆକୁ

ଖୋଜିଥିଲା ଖଜୁରାହେ, ଖାରବେଳ ନଗର ଛକରେ

ଅରୋରାର ଆଲୋକରେ ଆଂଦ୍ରୋମିଦା ଆକ୍ଷି ଆଂକୁଆଂକୁ

ସବୁ ରୂପେ, ସବୁ ରଂଗେ - ରଂଗଣୀକୁ ପାଇଲା କି ଥରେ ?

 

ଏ କବର କିଂବଦଂତୀ ।ଏ କବର କାହାର କାହାଣୀ ?

ଏ ଆକ୍ଷିରେ କାଠଯୋଡ଼ୀ... ସେ ଆକ୍ଷିରେ ମହାନଦୀପାଣି॥

 

।୫।

କବରରେ କିଏ କାଂଦେ ? କିଏ କହେ କାଦଂବିନୀ କଥା ?

କୁଦକୁଦ କାଦୁଅରେ କେତେକେତେ କୁଆଁରୀ କେତକୀ

କାଚକଢ଼ା କାଂଦଣାରେ କାଠଚଂପା କୋଡ଼ିହୁଏ ମଥା

ଆଉ ତ ପବନ ଏଠି ପାରିବନି ଛାତିରେ ଅଟକି !

 

କବର କୋଣାର୍କ ନୁହେଁ ।କବର ବି କାଚଘର ନୁହେଁ

କବର ତ ପଥରଟେ ପଡ଼ିରହେ ଖରାବର୍ଷା ଖାଇ

କିଏ ସେ ନଇଁଲେ ନିଶା ନିଜ ସହ କଥାବାର୍ତା ହୁଏ ?

ଏ କବର କାହା ଘର - କବାଟ କି ଝରକା ନ ଥାଇ ?

 

ନିର୍ଜନ ନିର୍ଦେଶଟିଏ ଲେଖିଦିଅ କବର କାଂଥରେ

ଭାଷାତୀତ ଭାବକଳ୍ପ ଭୟାତୀତ ଭଲପାଇବାର...

ଦିନ ଦିଶୁ ଦ୍ୱିପ୍ରହର ଦିନାଂତର ଦୂରଦ୍ୱୀପାଂତରେ,

ତମେ କିଂତୁ ତୋଳିଯାଅ ବର୍ଷାଂତରେ ବସଂତ-ବାହାର !

 

କବର ଗୋଟିଏ କାରା ।ସେ କାରାରେ କାୟାତୀତ କ୍ଳେଶ...

ଶେଷ ହେଉ ଶୋକଶ୍ଳୋକ, ଶେଷ ଯଦି ଶ୍ଳେଷ ଓ ଆଶ୍ଳେଷ॥

 

।୬।

କବର ଗୋଟିଏ ଚୁମା - ତମ ସାତ ସପନ ରାତିରେ

ସେ ଚୁମାକୁ ଚୁଂବେ କିଏ ତମ ବିନା ଚିରବିରହିଣୀ ?

କବର ଗୋଟିଏ ଛୁଆଁ - ତମ ସତୀ-ଚଉରା ଛାତିରେ

ସେ ଛୁଆଁକୁ ଚିହ୍ନେ କିଏ ତମ ଛଡ଼ା, ହେ ଚିତ୍ରହରିଣୀ ?

 

 

କବର ଗୋଟିଏ ଦାଗ - କବୟିତ୍ରୀ, ତମ ଗଂଡଦେଶେ

ସେ ଦାଗକୁ ଧୋଇଦିଅ ଦୁଇଟୋପା ଦୁରୂହ ଦୁଃଖରେ

କବର ଗୋଟିଏ ଦାୟ - କାରୁବାକୀ, ତମ ନିରୁଦ୍ଦେଶେ

ସେ ଦାୟକୁ ଦିଅନାଇଁ ଦୋଷ ଆଉ ଦଶଦୋଷ ପରେ !

 

କବର ଗୋଟିଏ କେଳି - କଳାବତୀ, କଳିବେନି କେହି

ହରପ୍ପାର ହରିଣ ମୁଁ, ମୃଗୀ ତମେ ମହେଂଜୋଦାରୋର...

କବର ଗୋଟିଏ ଅଳି - ଆକାଶକୁ, ଅତିବେଶିରେ ହିଁ,

ଆୟୁଷର ଆରପଟେ ଅଂଧାର ମୁଁ; ତମେ ତାରା ମୋର !

 

କବର ଗୋଟିଏ ଇତି - କେବେ ଥିଲା କାହାର ଚିଟାଉ...

ଇତିହ ତା ଇତସ୍ତତଃ।ଆସିବନି ଇଚ୍ଛାମତୀ ଆଉ॥

-୦-

 

ପୂର୍ବାପର

 

ମେଲାଣି ମେଘର ମୋଡ଼େ ମିଛମିଛ ମିଥୁନର ମାସ

ପାରିହୋଇ ପୂର୍ବମେଘ - ଫେରିଆସ ପହିଲି ପଶ୍ଚିମା,

ଦକ୍ଷିଣାପବନ ପାଇଁ ଉଚ୍ଛନ୍ନ ଏ ଉତ୍ତର-ଆକାଶ

ସମୟର ସାମ୍ନାସାମ୍ନି ସାୟାହ୍ନର ସାମୁଦ୍ରିକ ସୀମା!

 

ଆସ ମୋ ଉଜୁଡ଼ା ଆଶା, ଉବୁଟୁବୁ ଉଆଁସ ଉଢ଼ାଳୁ

ଦେହର ଏ ଦ୍ୱାରକାରୁ ଦ୍ୱାଦଶ ମୋ ଦ୍ୱାପରର ଦ୍ୱାହି

ସାତତାଳ ପାଣି ପୁଣି ସାତତାଳ ପଂକର ପାତାଳୁ

ଆଠଥର ଆକ୍ଷି ମଳି ଆଉଥରେ ଅନାଇବ ନାହିଁ?

 

ତିଳଚିହ୍ନଟିକୁ ତମ ତଲାସିବି ତିଳପୁଷ୍ପ ତୁଲେ

ଗୋଡ଼ିଗୋଳା ଗୋହିରିରୁ ଗେରୁଗାଆଁ ଗୋପର ଗଳି ବି

ବାଜ ମୋ ବିଜନବଂଶୀ, ବୟସଟା ବାଂକ ଯହିଁ ବୁଲେ

କଳିର ଏ କୁହୁଡ଼ିରେ କୁହୁକୁହୁ କୁହୁକ କଳିବି!

 

ଆସ ମୋ ପ୍ରେମର ପକ୍ଷୀ, ପାରିହୋଇ ପୂର୍ବାପର-ସ୍ମୃତି

ସତୀତ୍ୱର ସାତରାତି... ସ୍ୱପ୍ନାତୀତ ସଭ୍ୟତାସଂସ୍କୃତି॥

-୦-

 

ଅସାହିତ୍ୟିକ

 

There is no love that is not melancholy

There is no love for which we are not slain

No love but that which withers through our folly

And love of country is a dead refrain

There is no love that does not live on tears

There is no happy love

But it is ours

 

- Louis Aragon

 

Here are my finest

My loveliest verses.

They tremble and flutter

As wounded birds fly.

Leon-Paul Fargue

 

ରେଶମୀ ରାତିଟା କେବେ ପାହିଗଲା ଜାଣିନି ସତରେ

ଉଠି ଦେଖେ : ଏ ପୃଥିବୀ ଆଖି ମଳି ଅଳସ ଭାଂଗୁଚି

ହଜାରେ ଆରବ୍ୟ ରାତି ମିଳେଇଚି ରାତିକ ଭିତରେ

ଝରକାର ଆରପଟେ ଭୀରୁଜହ୍ନ ମେଲାଣି ମାଗୁଚି ॥

 

ରେଶମୀ ରାତିଟା କେବେ ପାହିଗଲା ଜାଣିନି ସତରେ

ଉଠି ଦେଖେ : ଏ ପୃଥିବୀ ଆଖି ମଳି ଅଳସ ଭାଂଗୁଚି

ହଜାରେ ଆରବ୍ୟ ରାତି ମିଳେଇଚି ରାତିକ ଭିତରେ

ଝରକାର ଆରପଟେ ଭୀରୁଜହ୍ନ ମେଲାଣି ମାଗୁଚି ॥

 

ବତି,

ତମେ ଭସ୍ମୀଭୂତ ?

ଏ ଭସ୍ମର ବିଭୂତିବ୍ୟଂଜିତ ପ୍ରଲେପନରେ କେଉଁଠି ସତରେ ସେଇ ନିଷ୍କାମ ସନ୍ନ୍ୟାସର ଗୈରିକ ଗୌରବ ?

 

ଶିଖା,

ତମେ ନିର୍ବାପିତ ?

ଏ ନିର୍ବାପନର ନୀଳପିଂଗଳ ଚରମବିଂଦୁରେ କେଉଁଠି ସତରେ ସେଇ ନିଷ୍ପ୍ରାପ୍ତ ନିବୃତ୍ତିର ଶାଂତ ଶୀତଳତା ?

 

ନିର୍ଯାସ,

ତମେ ନିଃଶେଷିତ ?

ଏ ନିଃଶେଷବୋଧର ନିଃଶବ୍ଦ ନେପଥ୍ୟରେ କେଉଁଠି ସତରେ ସେଇ ଉତ୍ତରଳ ଉତ୍ସର୍ଗର ପ୍ରଗାଢ଼ ପ୍ରଶାଂତି ?

 

ଦୀପ,

ତମେ ଆଜି କାଂଗାଳ ।

ତମେ ଆଜି ଦୀନ ।

ତମେ ଆଜି ରିକ୍ତ ।

 

ତମ ଅଲୋକସାମାନ୍ୟ ସ୍ୱପ୍ନର ଅସହ୍ୟ ଅସମାପ୍ତିରେ ନଷ୍ଟନିଶୀଥର ଅଗଣିତ ଅଭିଯୋଗ !

ତମ ନୀଳାଭ ନିର୍ବାଣର ନିଦାରୁଣ ନିଷ୍ଫଳତାରେ ନିହତ ଅଂଧକାରର ଅସରଂତି ଅଭିଶାପ !

ତମ ତପ୍ତ ତପସ୍ୟାର ତିଳତିଳ ତିକ୍ତତାରେ ମୃତପତଂଗର ପୁଂଜୀଭୂତ ପାପ !

 

ଆଖି,

ବିବର୍ଣବସଂତର ବର୍ଣମାଳା ପଢ଼ !

 

କାନ,

ଶୁଣିନିଅ ବିଦାୟୀ ପିକର ସଂକ୍ଷିପ୍ତ ସ୍ୱଗତ !

 

ନାକ,

ଦଳିତ ଚଂପାର ସୁରଭି ସାଉଁଟିନିଅ !

 

ଜିଭ,

ଚାଖିନିଅ ପୋଡ଼ାବଉଳର ସ୍ୱାଦ !

 

ଚମ,

ଧ୍ୱସ୍ତଖାଂଡବର ଜ୍ୱାଳା ଅନୁଭବ କର !

 

ନିଜ ମହାପାର୍ବଣମୟ ପାର୍ଥିବତାର ମଧ୍ୟପର୍ବରେ ଏ କ'ଣ ଦେଖିଗଲ, ପାର୍ଥ ?

 

ଧର୍ମପୁତ୍ର,

ନିର୍ଧାରିତ ନରକଦର୍ଶନ ପାଇଁ ଅଗ୍ରସର ହୁଅ !

ଭୟ କ'ଣ ?

 

ଦୁଃଖ ନାହିଁ... ଦୁଃଖ ନାହିଁ କର୍ଣ,

ତମ ଚଂଦନାଭ ଚିତାଗ୍ନିର ସଁର୍ଧିତ ଔଜ୍ଜ୍ୱଲ୍ୟ ପାଖେ ବିଜୟୀପକ୍ଷର ଏଇସବୁ ସୁସଜ୍ଜିତ ସୁବର୍ଣପ୍ରଦୀପମାଳା ନିତାଂତ ନିଷ୍ପ୍ରଭ ।

 

ଅନେକ ତ କହିବାର ଥିଲା ।

କିଂତୁ

କହିବି କାହାକୁ ?

ସାଥୀ ନାହିଁ ।

 

ଅନେକ ତ ଲେଖିବାକୁ ଅଛି ।

କିଂତୁ

ଲେଖିବି କାହିଁକି ?

ନିଜ ପାଇଁ ?

 

କବାଟ ବାହାରେ

ବାଟର ବିସ୍ତୃତି ।

ଜର୍ଜରିତ ଜନଅରଣ୍ୟର ଅପରପାର୍ଶ୍ୱରେ ବିସ୍ତାରିତ ବୋଧିଦ୍ରୁମ ।

ମୁକ୍ତ ଛାୟାତପ ତଳେ

ବୋଧିପ୍ରାପ୍ତି ।

କିଂତୁ ମୁକ୍ତି କାହିଁ ?

କେଉଁଠି ସୁଜାତା ?

ସୂର୍ଯସ୍ନାତା ??

ଚଂଦ୍ରଚୁଂବିତା ଚାରୁକଳ୍ପଲତା ???

 

ଅଭ୍ରଂକଷ ଅହଂକାରର ଦୁର୍ଜେୟ ଦୁର୍ଗ,

କ୍ଷୀଣାୟମାନ ତୁମର ପ୍ରଭୂତ ପ୍ରସିଦ୍ଧି !

 

ଅଭିଜାତିକ ଅଭିମାନର ପ୍ରାମାଣିକ ପ୍ରାଚୀର,

କ୍ଷୟମାଣ ତୁମର ଦର୍ଶନୀୟ ଦର୍ପ !

 

ପ୍ରବଳତମ ପ୍ରମତ୍ତତାର ତୁଂଗତୋରଣ,

ଦୋଳାୟମାନ ତୁମର ଦୃଷ୍ଟପୂର୍ବ ଦୃଢ଼ତା !

 

ମାୟାର ମଂଚ,

ଡ୍ଡଳାୟମାନ ତୁମର ଶୂନ୍ୟ-ସୁଂଦରୀର ମହାର୍ଘ ମଣିମେଖଳା !

ହୃଦୟ,

ଚିରନିର୍ଜନ ତୁମର ଚଂଦ୍ରଶାଳା !

 

ଦୁଇଟି ଧୂମାଭ ଦିଗଂତ ପରି ଧୂସର ଦୁଇଟି ଆଖି ।

ଭସାମେଘର ଦରବାଉଳା ଦିନସବୁ ବିଦାୟ ନେଇଚି ।

ମୁଁ ଚାହିଁଚି ।ମୁଁ ଚାହିଁଚି ।ମୁଁ ଚାହିଁଚି ।

ସାମ୍‌ନାଘରର ହେ ଖୋଲାଝରକା,

ତୁମ ଆଡ଼କୁ ନୁହେଁ, ତୁମ ଆଡ଼କୁ ନୁହେଁ,

କହିରଖୁଚି ଆଉଥରେ - ତୁମ ଆଡ଼କୁ ନୁହେଁ,

ମୁଁ ଚାହିଁଚି - ଏଇ ନୀଳ, ଏଇ ନିକାଂଚନ, ଏଇ ନିସ୍ତରଂଗ,

ଏଇ ନିର୍ବିକଳ୍ପ ନୀରବ ଆକାଶ ଆଡ଼କୁ ।

 

ଆକାଶ,

ତୁମେ ତୁମର ଆଦିଗଂତ, ଅନାଦି-ଅନଂତ ଆତ୍ମସତ୍ତାର ଅପରିଚିତ ମହାସମୁଦ୍ରଗର୍ଭରେ ଅଂତର୍ଭୂତ କରାଇନିଅ ମତେ !

ଲଘିଷ୍ଠ ଲବଣକଣା ପରି ମୁଁ ମିଳେଇଯାଏଁ, ମିଳେଇଯାଏଁ...

- ମିଳେଇଯାଏଁ ସର୍ବସତ୍ତାରେ ତମରି !

ଏଣିକି

ସବୁତକ

ସୁଠାମ ସୁଡେ଼ୗଲ ଶବ୍‌ଦ

ସ୍ୱଗତ ।

 

ଏଣିକି

ସବୁତକ

ଉଚ୍ଚାଂଗ ଉଚ୍ଛଳ ଉଚ୍ଚାରଣ

ଆତ୍ମସ୍ଥ ।

 

ତେଣୁ

ତୁମେ ନାଆ ବାହିନିଅ,

ଅସ୍ତନଦୀର ମାଝି !

ସୁନାର ତରୀଟିକୁ ତୁମର

ପ୍ରତ୍ୟାଖ୍ୟାନ କରିଚି ମୁଁ ।

 

ମୋର ଏଇ ହୁଲିଡଂଗାଟି

ମୋ ଆଶା,

ମୋ ଭରସା ।

 

ଦେଖିବାକୁ ବାକି ଅଛି - ଜମାଟ ଜ୍ୟୋତ୍ସ୍ନାର ଜଳାବର୍ତ ।

ଦେଖିବାକୁ ବାକି ଅଛି - ସଂଗୁପ୍ତ ସ୍ରୋତର ମୋଡ଼ ।

ଦେଖିବାକୁ ବାକି ଅଛି - ଅଦୃଷ୍ଟ ଗଂଡର ଗଭୀରତା ।

 

ନାଆ,

ତୁମେ ଆଗେଇ ଯାଅ ।ତୁମ ସହିତ

ମୁଁ ।

ନାଉରିଆ,

ଫିଂଗିଦିଅ କାତ ।

ଭୟ କ'ଣ ?

ପୌଷର ହେ ପାର୍ଶ୍ୱପାଦପ,

ମୋର ଆଉ ମନେନାହିଁ... ବୈଶାଖର ବଣାବାଟୋଇ ମୁଁ...

କେବେ ଦିନେ ତୁମର ସ୍ନିଗ୍‌ଧ ଛାୟାତପ ତଳେ ଯାପିଥିଲି ସୁଂଦର ଗୋଟିଏ ମଧ୍ୟାହ୍ନ ।

ମୋର ଆଉ

ମନେ ନାହିଁ ସତରେ, ସେଇ ତୁମ ଛାୟା-ସ୍ନାନର ସ୍ମୃତି ।

 

ଆଜି ତୁମର ଝରାପତ୍ରର ବିଳାପ ମୋ ବାତ୍ୟାହତ ବାତାୟନର ମୁକ୍ତଦ୍ୱାର ଡେଇଁ,

ବିଜନ କକ୍ଷରେ ମର୍ମର ତୋଳୁଚି... ବିଷ, ବିଧୁର, ବ୍ୟଥାୟିତ !

 

ପରିକ୍ରାଂତ ପଥର ହେ ପାରସିକା ପାଂଥଶାଳା,

ମୋର ଆଉ ମନେନାହିଁ...

ଝଡ଼ବର୍ଷାର ଝୁଂଟାବାଟୋଇ ମୁଁ...

କେବେ ଦିନେ ତୁମର ନିଭୃତ, ନିରାପଦ ପୁଷ୍ପଶଯ୍ୟାରେ ପୁହାଇଦେଇଥିଲି ସ୍ୱପ୍ନାଭ ଗୋଟିଏ ରାତ୍ରି ।

ମୋର ଆଉ

ମନେନାହିଁ ସତରେ, ସେଇ ତୁମ ସ୍ୱପ୍ନ-ସ୍ନାନର ସ୍ମୃତି ।

 

ଆଜି ଏଇ ଝରାପତ୍ରର ପିଠିରେ ମୁଁ ଖାଲି ପଢ଼ିନେଉଚି ତୁମରି ସେଇ ଅହ୍ୟ ଆହ୍ଲାଦର ଆବାସିକ ଆହ୍ୱାନ,

ତୁମରି ସେଇ ଅତରାର୍ଦ୍ର ଆସଂଗର ଆଭାସିକ ଆମଂତ୍ରଣ... ଆକୁଳ, ଉଚ୍ଛ୍ୱସିତ, ସୁଦୂରାୟିତ !

 

ଝରାପତ୍ର,

ତୁମେ ଆଜି ଦୂରେଇଆସିଛ ବାତକଂପିତ କେଉଁ ତରୁଣୀ ତରୁଶାଖାରୁ !

ମୁଁ ଆଜି ଦୂରେଇଯାଉଛି -

ମଦମତ୍ତ ଝଡ଼ର ପଦପାତରେ ଧ୍ୱସ୍ତବିଧ୍ୱସ୍ତ ମୋର ଏ ରକ୍ତାକ୍ତ ପଦ୍ମବନରୁ !

ଫୁଜିୟାମାର ମୋହ ଭାଂଗିଚି ।

 

ଅନନୁମେୟ ଅଗ୍ନିସ୍ରାବର ଆସର ଆସନ୍ନ ।

 

ବୀଜସ୍ଥ ବିଶ୍ୱାସର ବିଶ୍ୱଭୂଚିତ୍ର ବିପନ୍ନ ।

ସ୍ୱପ୍ନାଦିଷ୍ଟ ସତ୍ତାର ସପ୍ତଲୋକ ସଂକଟାପନ୍ନ ।

କମନୀୟ କୋମଳ କରୁଣାର କାଳାଂତକ କ୍ରମଅବକ୍ଷୟ – ଅନିର୍ବଚନୀୟ

ଅଂତର୍ଲୋକରେ ଅନବରତ ଅସ୍ଥିରତାର ଉପଯୁର୍ପରି ଆଘାତ ଓ ଅପଘାତ – ଚୌବର୍ଗୀୟ

ଚୈତ୍ୟଭୂମିରେ ଦ୍ୱିଖଂଡିତ ଦୈତସଂଗୀତର ମୁମୂଷୁର୍ ମୂର୍ଛନା – ଦୈନଂଦିନ

ଦ୍ୱିଧା ଓ ଦ୍ୱଂଦ୍ୱର ଦ୍ରୁତ ଦୁଂଦୁଭିନାଦରେ ଧ୍ୱନିନିୟଂତ୍ରିତ ଧ୍ୟାନାନଂଦର ଦୁର୍ଗଶିଳା ଦୁଷ୍କଂପମାନ ।

 

ଫୁଜିୟାମା, ଫୁଜିୟାମା !

ତମେ,

ତଥାପି ପ୍ରିୟା ମୋର ।

ପ୍ରିୟତମା ।

 

ଜାଳିପୋଡ଼ି ମତେ ବଂଚିରହିବାର ସୁନାରଂଗୀ ମରୀଚିକା

ଉପହାର ଦିଅନା ଆଉ !

ବରଂ ମତେ ମିଶେଇନିଅ ତମରି ତରଳ ତୀବ୍ରତା ମଧ୍ୟରେ ।

ବରଂ ମତେ ଜଡ଼େଇନିଅ ଆଶ୍ଳେଷନିଷ୍ଠ ଆଗ୍ନେୟ ବାହୁଲତାରେ ତମରି !

ବରଂ ମତେ କୋଳେଇନିଅ ତମରି ନିଘଂଚ ନିବିଡ଼ ଅକଳଂକ ଅଂକଶଯ୍ୟାରେ !

 

ଫୁଜିୟାମା !

ଫୁଜିୟାମା !

ତମେ,

ତଥାପି ପ୍ରିୟା ମୋର ।

ପ୍ରିୟତମା ।

 

ମେଘ,

ନୀଳାଂବରୀ ମେଘ!

ମାତ୍ରାବୃତ୍ତହୀନ ତୁମର ମଂଦାକ୍ରାଂତା ମାଳାକ୍ଷରରେ

ମତେ

ଆହୁରି ଧ୍ୱନ୍ୟାଲୋକିତ କର,

ଆହୁରି ଧ୍ୱାଂତଚକିତ କର !

ଧାରାକ୍ରାଂତ ॥

 

ନଦୀ,

ଯାଯାବରୀ ନଦୀ !

ରାଗସଂଗୀତହୀନ ତୁମର ତରଂଗାୟିତ ତାଳଲୟରେ

ମତେ

ଆହୁରି ଅସ୍ଥିର କର,

ଆହୁରି ଅଶାଂତ କର !

ଅବିଶ୍ରାଂତ ॥

 

ଫୁଲ,

ଦୂରଜଂଗଲର ଫୁଲ !

ଉଦ୍ଦେଶ୍ୟହୀନ ତୁମର ସ୍ୱତଃସ୍ଫୂର୍ତ ସୁରଭିରେ

ମତେ

ଆହୁରି ଅଥୟ କର,

ଆହୁରି ଅତଂଦ୍ର କର!

ଆଦ୍ୟୋପାଂତ ॥

 

ପକ୍ଷୀ,

ନୀଡ଼ଭୁଲା ପକ୍ଷୀ !

କ୍ଳାଂତିହୀନ ତୁମର ଦିଗଂତପ୍ରସାରୀ ଡେଣାର କଂପନରେ

ମତେ

ଆହୁରି ଉଚ୍ଛନ୍ନ କର,

ଆହୁରି ଉଚ୍ଚାଟ କର !

ଆମୂଳାଂତ ॥

 

ଏ ପଥ ପରିମିତ ।

ଏ ପ୍ରାଂଗଣ ପରିଚିତ ।

ଏ କ୍ଷେତ୍ର କ୍ଷୁଦ୍ର ।

ଏ କୋଠରି କୌଣିକ ।

 

ଦିନମାନେ

ପଶ୍ଚିମକୁ ବାହୁଡ଼ିଗଲେଣି ।

ଶୋଇପଡ଼...

ତମେ ଶୋଇପଡ଼... !

 

ହଁ,

ଦିନ ଥିଲା -

ସୂର୍ଯାଭ ସେସବୁ ଦିନ...

ତମେମାନେ ସକାଳକୁ ଦେଖି ହସୁଥିଲ ।

ପବନର ହାଲ୍‌କା ଓଠରୁ

ଶୁଣୁଥିଲ ସହସ୍ର ସୁସୁରି ।

 

ଦିନମାନେ କ'ଣ ଲେଉଟିଆସିବେ ?

କାଇଁ,

ଜଣା ତ ପଡ଼େନା !

 

ବରଂ ଶୂନ୍ୟସଳିତାର ଶିରାଳ ସଂଜରେ

କିଛି ବି ଦିଶେନା

ନା

ପୂଷା

ନା

ପୂର୍ବାଶା ।

 

ଅନତିଦୂରର ଅନ୍ୟଅନ୍ୟ ଆୟତକ୍ଷେତ୍ରରୁ

କିଏ ତେବେ ଦିଶେ ?

ଦୂର୍ବା

ନା

ଦୁର୍ବାସା ?

ଅଥଚ ଏ ଅସଂଲଗ୍ନ ଅସ୍ତଲଗ୍ନ ଆଉ ତାର ଅସ୍ତବ୍ୟସ୍ତତାର ଅପରପାର୍ଶ୍ୱରେ

ଛାୟାଂତରାଳର ମାୟାଂଧକାରାତୀତ ମହାଭୂମି...

ସେ ବିନିଦ୍ରଭୂମିରେ

ଅଥର୍ବବୈଦିକ ବୀଜମଂତ୍ରୀ ବୃକ୍ଷବୃଂଦ

ଏକ ଆଶ୍ରମିକ ଆସ୍ପୃହାର ପ୍ରାଂଜଳ ପ୍ରାର୍ଥନାରେ

ପତ୍ରମର୍ମରିତ ।

 

ଆଜିର ଏ ବିସର୍ଗବାଚିକ ବିଷାଦଯୋଗର ପର୍ବ ତେବେ କାହା ପାଇଁ ?

କାହା ପାଇଁ ଦୁଃଖ ?

କାହା ପାଇଁ ଶୋକ ?

କାହା ପାଇଁ କଷାକପାକଳର ଏ କଷାୟ କପଡ଼ା /

ଧଳାଥାନ/କଳାକଳା କରୁଣ ପୋଷାକ ?

ଶୋଇପଡ଼ ତମେ,

ହଁ,

ଶୋଇପଡ଼...

ଗଲାସକାଳର କୁଆଁରୀ ସୂର୍ଯମୁଖୀମାନେ !

 

ଦେଖିଲଣି,

ରାତି ତମ ପାଇଁ କ'ଣ ଆଣିଚି ?

ଜହ୍ନ !

ଜୁଡ଼ୁବୁଡ଼ୁ ଜଳରଂଗୀ ଜହ୍ନ !

 

ଜହ୍ନ ଦେଖି ହସ ।

ଜହ୍ନ ଦେଖି କାଂଦ ।

ଜହ୍ନ ଦେଖି ନାଚ ।

ଜହ୍ନ ଦେଖି ନକଲ ନକର କିଂତୁ ଅଧାସୁନାଚାଂଦ॥

 

ଅଂତତଃ ଗୋଟିଏ ରେବତୀ-ରାତିର ଦରଭୁଲା ଦରଦକୁ

ସମ୍ମାନ ଦିଅ !

ଶିଶିରରେ ଭିଜିଭିଜି ଶୋଇପଡ଼...

ଆସଂତାକାଲିର ପାଖୁଡ଼ାପାଖୁଡ଼ା ସ୍ୱପ୍ନ ପାଇଁ

ଦିନ ଗଣ !

କ୍ଷତି କ'ଣ ?

 

ଶୁଖିଯିବା ପୂର୍ବରୁ ପତାରେ ଅଶ୍ରୁଧାରା...

ପତ୍ରରେ ଶିଶିର;

ଶୋଇପଡ଼ ତମେ...

ଶୋଇପଡ଼ !

ଅଝଟ କାହିଁକି ?

ଆସଂତାକାଲିର ଉଡ଼ିଶିଖୁଥିବା ଶିଶୁପକ୍ଷୀ

ନିଶ୍ଚୟ ତା ଦରୋଟି ଡାକରେ

ତୁମକୁ ବାସିବିଛଣାରୁ ଉଠେଇବ ଆସି...

ଅୟି ମଦାଳସୀ !

 

ହେ ନୀଳତୃଣ !

ତମେ ଏବେ ଶୋଇପଡ଼...

ଶୋଇପଡ଼...

ଶୋଇପଡ଼... !

ସ୍ୱପ୍ନସବୁ

ଝରାଶେଫାଳୀ ।

ସ୍ମୃତିସବୁ

ଝରାବଉଳ ।

 

ଏବଂ

ଝରାଫୁଲର ମାମୁଲି ମାଳାକାର :

ଏଇ ତ

ମୋର ପରିଚୟ !

 

ଫୁଲମାନେ,

ମତେ ଅଭିଶାପ ଦିଅନା !

କଂଟାମାନେ,

ମତେ ଆହତ କରନା !

ହେ ଭରାଉଦ୍ୟାନ,

ବିଦାୟ ଦିଅନା ମତେ !

 

ଗତଗୋଧୂଳିରେ

ମୁଁ ଖାଲି କହିଚି କଂଟାଫୁଲର କଥା ।

ଗତସଂଧ୍ୟାରେ

ମୁଁ ଖାଲି ଗାଇଚି ଘାସଫୁଲର ସଂଗୀତ ।

ଏବଂ

ଗତରାତ୍ରିରେ

ମୁଁ ଖାଲି ଦେଖିଚି ସଂଧ୍ୟାତାରାର ସ୍ୱପ୍ନ ।

କିଂତୁ

ଆସଂତାକାଲି ମତେ ଗାଇବାକୁ ହେବ ଏକ ଲାଲ୍‌ସୂର୍ଯର ସ୍ୱାଗତିକା ॥